ଭୁବନେଶ୍ୱର,୨୭/୦୨: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆସନ୍ତା ଜୁଲାଇରେ ପିଜି(ସ୍ନାତକୋତ୍ତର) ଶିକ୍ଷାଦାନ ଆରମ୍ଭ ହେବ । ୨୦୨୬- ୨୭ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ନାତକୋତ୍ତରରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ(ସିପିଇଟି) ପରୀକ୍ଷାରେ ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ:- ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା: ମାର୍ଚ୍ଚ ୧୯ରୁ ଖାତା ମୂଲ୍ୟାୟନ,ଏହି ତାରିଖରେ ବାହାରିବ ଫଳ
ସିପିଇଟି ପାଇଁ ଛାତ୍ରଛାତ୍ରୀମାନେ ଚଳିତମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ । ଏପ୍ରିଲ ୨୭ରୁ ମେ' ୧୦ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ହେବ । ଏହି ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ । ଆସନ୍ତା ଜୁଲାଇ ୧୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।