ନୂଆଦିଲ୍ଲୀ,୦୯/୦୬; ଫିଲିପାଇନ୍ସରେ ଗତକାଲି (ସୋମବାର) ଶକ୍ତିଶାଳୀ ଭୂମିକମ୍ପ ସବୁ କିଛି ଛାରଖାର କରି ଦେଇଛି । ବ୍ୟାପକ ଧନଜୀବନ ହାନି ହୋଇଛି । ଭୂମିକମ୍ପର ତୀବ୍ରତା ୭.୮ ଥିଲା । ରିପୋର୍ଟ ଅନୁସାରେ, ଭୂକମ୍ପରେ ଅନ୍ୟୁନ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେରିକୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ, ଭାରତୀୟ ସମୟ ସକାଳ ୫ଟା ୭ ମିନିଟ୍ରେ ଭୂମିକମ୍ପ ହୋଇଥିଲା । ମିଣ୍ଡାନାଓ ଦ୍ୱୀପ ନିକଟ ସମୁଦ୍ରରେ ପ୍ରାୟ ୩୨ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ଏହା ଫିଲିପାଇନ୍ସରେ ଚଳିତ ବର୍ଷ ଆସିଥିବା ଭୂମିକମ୍ପ ମଧ୍ୟରେ ସବୁଠୁ ଶକ୍ତିଶାଳୀ । ଭୂମିକମ୍ପ ପରେ ସୁନାମି ବି ଆସିଛି । ସବୁଠୁ ଉଚ୍ଚ ଲହଡ଼ିର ଉଚ୍ଚତା ପ୍ରାୟ ୪.୬ ଫୁଟ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ଏବଂ ମାଲେସିଆରେ ବି ସୁନାମି ଚେତାବନୀ ଜାରି କରାଯାଇଥିଲା । ତେବେ କିଛି ଘଣ୍ଟା ପରେ ଏହି ଚେତାବନୀ ପ୍ରତ୍ୟାହାର କରାଯାଇଥିଲା । ଭୂକମ୍ପ ପରେ ମଧ୍ୟ ଏକାଧିକ ଆଫ୍ଟରଶକ୍ (ଭୂମିକମ୍ପ ପରବର୍ତ୍ତୀ ଝଟକା) ଅନୁଭୂତ ହୋଇଛି । ୨ ଘଣ୍ଟାରେ ୧୩୨ରୁ ଅଧିକ ଆଫ୍ଟରଶକ୍ ଲାଗିଛି । ଦକ୍ଷିଣ ଫିଲିପାଇନ୍ସରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ଅନେକ ଘର ଭାଙ୍ଗି ଯାଇଛି । ୭ ଲକ୍ଷରୁ ଅଧିର ଜନସଂଖ୍ୟା ବିଶିଷ୍ଟ ବନ୍ଦରସହର ଜେନରାଲ ସେଣ୍ଟୋସ୍ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଏଠାରେ ଏକ ସ୍କୁଲ ଘର ଭୁସୁଡ଼ି ପଡ଼ିଥିବାରୁ ସେଠାରୁ ପିଲା ଏବଂ ସ୍କୁଲ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । କେତେଜଣ ପିଲା ଆହତ ହୋଇଛି । ସହରରେ ଅତିକମ୍ରେ ୭ ଜଣ ନିଖୋଜ ଥିବା ପୁଲିସ କହିଛି । ପୀଡ଼ିତଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ଲାଗି ଫିଲିପାଇନ୍ସ ରାଷ୍ଟ୍ରପତି ଫଡିନାଣ୍ଡ ମାର୍କୋସ ଜୁନିଅର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସୁନାମି ଚେତାବନୀକୁ ଗୁରୁତ୍ୱର ସହ ନେବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ଭୂମିକମ୍ପର ଝଟକା ଫିଲିପାଇନ୍ସ ବାହାରେ ଇଣ୍ଡୋନେସିଆର ଉତ୍ତର ସୁଲାବେସି ଏବଂ ଉତ୍ତର ମଲୁକୁ କ୍ଷେତ୍ରରେ ବି ଅନୁଭୂତ ହୋଇଛି । ଜାପାନ ପାଣିପାଗ ଏଜେନ୍ସି ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁନାମି ଚେତାବନୀ ଜାରି କରିଛ ।
ଏହା ବି ପଢନ୍ତୁ...Earthquake: ୭.୮ ତୀବ୍ରତାର ଭୂମିକମ୍ପ ଝଟ୍କାରେ ଦୋହଲିଲା ଫିଲିପାଇନ୍ସ, ବିନାଶକାରୀ ସୁନାମି ଆଲର୍ଟ