ଭୁବନେଶ୍ୱର,୦୩/୧୨: ବିପଦ ସଙ୍କେତ ମିଳିଲେ ଭୂମିରୁ ୩୦ ଫୁଟ୍‌ ଉଚ୍ଚକୁ ଉଡ଼ିପାରେ । ଯଦି ଅଧିକ ଭୟ ରହିଥିବ ତେବେ ଆହୁରି ୨୦ ଫୁଟ ଉପରକୁ ଉଠିବାର କ୍ଷମତା ରହିଛି । ସେଥିପାଇଁ  ବିଲେଇଠାରୁ ନେଇ କଟାସ ପର୍ଯ୍ୟନ୍ତ ମାଂସାହାରୀ ଏମାନଙ୍କୁ ଧରିପାରନ୍ତି ନାହିଁ । ଏହିଭଳି ଏମାନେ ଶତ୍ରୁକୁ ଚକ୍‌ମା ଦିଅନ୍ତି । ସେଥିପାଇଁ ଏମାନେ  ଦୁଃସାହସୀ । ସେତିକି ନୁହେଁ, ଏମାନଙ୍କ ଶରୀରରେ  ରୋଗ ପ୍ରତିରୋଧକ ଶକ୍ତିର ମାତ୍ରା ଅଧିକ । ସେଥିପାଇଁ  କୃମି କିମ୍ବା ଝାଡ଼ା ରୋଗ ଏମାନଙ୍କୁ ହୋଇପାରିନଥାଏ ।  ଆମେ କହୁଛୁ ଫୁଲବାଣୀରେ ଦେଖିବାକୁ ମିଳୁଥିବା  ଏକ ଦେଶୀ ପ୍ରଜାତିର କୁକୁଡ଼ା ସମ୍ପର୍କରେ । ଯାହାର  ନାଁ ମଧ୍ୟ ରହିଛି ‘ଫୁଲବାଣୀ କୁକୁଡ଼ା’ । ଏବେ ଏହି  କୁକୁଡ଼ା ଉପରେ ଅଧିକ ଗବେଷଣା ସହ ଏହାକୁ କିପରି  ଜାତୀୟ ମାନ୍ୟତା ମିଳିବ ସେ ଉପରେ କାମ କରିଛି  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) । ଏପରିକି ଦେଶର ୨୦ତମ କୁକୁଡ଼ା ପ୍ରଜାତିରେ  ସାମିଲ କରିବାକୁ ଚେଷ୍ଟା ଚାଲିଛି । ଚଳିତବର୍ଷ  କୁକୁଡ଼ାର ସବିଶେଷ ତଥ୍ୟ ଆଇସିଏଆର ନ୍ୟାସନାଲ  ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌ ରିସୋର୍ସେସ୍‌  (ଏନବିଏଜିଆର୍‌)କୁ ହସ୍ତାନ୍ତର କରାଯାଇଛି ।

ଫୁଲବାଣୀର ଆଭ୍ୟନ୍ତରୀଣ ଘୁ. ଉଦୟଗିରି ଓ  ଆଖପାଖ ଜଙ୍ଗଲ ଅଞ୍ଚଳରେ ଏହି କୁକୁଡ଼ା ବହୁଳ  ଭାବେ ଦେଖିବାକୁ ମିଳେ । ସୀମାନ୍ତବର୍ତ୍ତୀ ବୌଦ୍ଧ ଜିଲ୍ଲାର  କିଛି ଗାଁରେ ଏହା ଅଛନ୍ତି । ଉଭୟ ଜିଲ୍ଲାରେ ଏହି  କୁକୁଡ଼ାଙ୍କ ସଂଖ୍ୟା ହେଉଛି ୧ଲକ୍ଷରୁ ଅଧିକ । ଏହା  ଏକ ପ୍ରକାରର ଜଙ୍ଗଲୀ କୁକୁଡ଼ା । ଏମାନଙ୍କ ଶରୀର  ରଙ୍ଗ ନାଲି ଓ କଳା ରହିଛି । ଯଦିଓ ସାଧାରଣ  ଦେଶୀ କୁକୁଡ଼ାଙ୍କ ଭଳି ଏମାନେ ଦେଖାଯାଆନ୍ତି ।  ମାତ୍ର ଏମାନେ ଭିନ୍ନ । କେବଳ କୁକୁଡ଼ାର ପର  ସାମାନ୍ୟ ବଡ଼ । ଉଭୟ ଜିଲ୍ଲାର ଆଦିବାସୀ  ସଂପ୍ରଦାୟର ଆର୍ଥିକ ମେରୁଦଣ୍ଡ ହେଉଛି ଏହି  କୁକୁଡ଼ା । ଏମାନଙ୍କ ଅଣ୍ଡା ଓ ମାଂସକୁ ବିକ୍ରି କରି  ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି ।

 ଏହି ଦେଶୀ କୁକୁଡ଼ା ଅନ୍ୟ ଦେଶୀ କୁକୁଡ଼ାଙ୍କ  ତୁଳନାରେ ହାଲୁକା ଓଜନର । ଗୋଟିଏ ବୟସ୍କ  ଫୁଲବାଣୀ କୁକୁଡ଼ାର ଓଜନ ୧ କିଲୋରୁ ନେଇ  ୧୩ ଶହ ଗ୍ରାମ ପର୍ଯ୍ୟନ୍ତ ରହିଛି । ସାଧାରଣ କୁକୁଡ଼ା  ତୁଳନାରେ ଗୋଟିଏ ଫୁଲବାଣୀ କୁକୁଡ଼ା ବର୍ଷକୁ  ୬୫ରୁ ୭୦ଟି ଅଣ୍ଡା ଦେଇଥାନ୍ତି । ଯେଉଁଠି ସାଧାରଣ  କୁକୁଡ଼ାଟି ବର୍ଷକୁ ଅତିବେଶୀରେ ୫୦ଟି ଅଣ୍ଡା  ଦେଇଥାଏ । ବଡ଼କଥା ହେଉଛି, ମା’ କୁକୁଡ଼ାଟି  ତା ଛୁଆଙ୍କୁ ନେଇ ଅଧିକ ଯତ୍ନଶୀଳ । ଛୁଆମାନଙ୍କୁ  ଯେପରି କୌଣସି ଆଞ୍ଚ ନଆସେ ସେଥିପାଇଁ ମା  ସବୁବେଳେ ସତର୍କ ରହିଥାଏ । ଯଦି କୌଣସି ଶତ୍ରୁ ଆସେ ତେବେ ସଙ୍ଗେସଙ୍ଗେ ଲଢିବା ପାଇଁ  ସେ ପ୍ରସ୍ତୁତ ହୋଇଯାଏ । ନଚେତ୍‌ ଛୁଆଙ୍କୁ ନେଇ  ଉଡ଼ିଯାଏ । ହେଲେ ସାଧାରଣ କୁକୁଡ଼ା ମାତ୍ର ୫ରୁ  ୧୦ଫୁଟ୍‌ ଉପରକୁ ଉଡ଼ିପାରେ । ନଚେତ ଦୌଡ଼ିଥାଏ ।    

ନଜର ଆଢ଼ୁଆଳରେ ଥିବା ଏହି କୁକୁଡ଼ା  ଉପରେ ୨ବର୍ଷ ପୂର୍ବେ ଓୟୁଏଟିର ବିଶେଷଜ୍ଞଙ୍କ  ନଜର ପଡ଼ିଥିଲା । କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ କୁକ୍କୁଟ ବିଶେଷଜ୍ଞ  ଡା. ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା  ଗବେଷଣା । ଗବେଷଣାରୁ ଏହି କୁକୁଡ଼ାର ସ୍ୱତନ୍ତ୍ର  ଚରିତ୍ର ବିଷୟରେ ଜଣାପଡ଼ିଥିଲା । ଶ୍ରୀ ଦାସ କହିଛନ୍ତି,  କୁକୁଡ଼ାକୁ ମାନ୍ୟତା ମିଳିଲେ ଏହା ସରକାରଙ୍କ  ନଜରକୁ ଆସିବ । ଏମାନଙ୍କୁ ଗୋଟିଏ ଦୁଇଟି ସ୍ଥାନରେ  ସୀମିତ ନରଖି ସାରା ଓଡ଼ିଶାରେ ଚାଷ କରାଯିବ ।  କୁକୁଡା ପାଳନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିବ।