ନୀଳଗିରି,୧୩/୦୬: ରଜ ଦୋଳି ବନ୍ଧାକୁ ନେଇ ହୋଇଛି ମହାଭାରତ । ନିଶାରେ ଭୁଲି ଯାଇଛନ୍ତି ହିତାହିତ ଜ୍ଞାନ । ଜଣେ ସମ୍ପର୍କୀୟ ଜ୍ୱାଇଁଙ୍କ ଗାଲକୁ କାମୁଡ଼ି ରକ୍ତାକ୍ତ କରିଛନ୍ତି ଶ୍ୱଶୁର । ଏଭଳି ଘଟଣା ନୀଳଗିରି ଥାନା ଅଧୀନ ବାଘମରା ଅଞ୍ଚଳରେ ଘଟିଛି ।
ବାଘମରା ଗ୍ରାମରେ ଜ୍ୱାଇଁ ଭଗବାନ ସିଂଙ୍କ ସହିତ ଶ୍ୱଶୁର କାହ୍ନୁ ସିଂ ବସି ଦୋଳି ବନ୍ଧା ନେଇ କଥା ହେଉଥିଲେ । ଜଣେ ଟାୟାରରେ ବାନ୍ଧିବା କଥା କହୁଥିଲେ, ଆଉ ଜଣେ ଦଉଡ଼ିରେ ବାନ୍ଧିବା କଥା କହୁଥିଲେ । ଏହା ପରେ ଉଭୟଙ୍କରେ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ନିଶାରେ ଥିବାରୁ ଏ କଥା ଉଗ୍ରରୂପ ଧାରଣ କରିଥିଲା । ଧସ୍ତାଧସ୍ତି ହେବା ପରେ ଜ୍ୱାଇଁ ଗାଲକୁ କାମୁଡ଼ି ରକ୍ତାକ୍ତ କରିଥିଲେ କାହ୍ନୁ । ପ୍ରତିବାଦ କରିବାରୁ ଜ୍ୱାଇଁଙ୍କ ପୁତୁରା ପ୍ରଶାନ୍ତ ସିଂ ଓ ପଡ଼ୋଶୀ ରାଜେଶ ସିଂଙ୍କୁ ମଧ୍ୟ ବ୍ଲେଡ୍ରେ ଆକ୍ରମଣ କରି କ୍ଷତାକ୍ତ କରିଛନ୍ତି କାହ୍ନୁ । ଗୁରୁତର ଭଗବାନ, ପ୍ରଶାନ୍ତଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଓଏଏସ୍ ପ୍ରେମିକଙ୍କ ପାଇଁ ବଢ଼ିଲା ଅଡୁଆ, ଆଗକୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ପୁଲିସ
ନୀଳଗିରି ଥାନାରେ ଭଗବାନ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରତି ଆକ୍ରମଣରେ ଶ୍ୱଶୁର କାହ୍ନୁ ସିଂ ମଧ୍ୟ ଗୁରୁତର ହୋଇ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ନୀଳଗିରି ପୁଲିସ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି । ଆଇଆଇସି ଗୋବର୍ଦ୍ଧନ ନାୟକ ତଦନ୍ତ କରୁଥିବା ଜଣାପଡିଛି