ଝାରସୁଗୁଡ଼ା,୦୭/୧୦: ୧୧ କେଭି ତାର ଚୋରି କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକ୍ଅପ୍ ଗାଡ଼ି । ଗାଡିରେ ୨୦ ଜଣ ଚୋର ଯାଉଥିବାବେଳେ ତନ୍ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବାବେଳେ ଜଣକୁ ବୁର୍ଲା ପଠାଇ ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ତରେଇକେଲା ରାସ୍ତାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ୧୧ କେଭି ତାର ଚୋରି କରିବା ପାଇଁ ୨୦ ଜଣ ଚୋର ଏକ ପିକ୍ଅପ୍ ଗାଡ଼ିରେ ଯାଉଥିଲେ । ଏହି ସମୟରେ ତରେଇକେଲା ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ ଜଣ ଚୋରଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଥିଲେ । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ କୋଲାବିରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆହତ ହୋଇଥିବା ୭ ଜଣଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି । ତନ୍ମଧ୍ୟରୁ ୪ ଜଣଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି ଏବଂ ଜଣକୁ ବୁର୍ଲା ପଠାଇ ଦିଆଯାଇଛି । ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।