ଛତ୍ରପୁର,୧୫/୧୧: ମଇଁଷି ବୋଝଇ ପିକଅପ୍ ଭ୍ୟାନ୍‌କୁ ଧରି ପୁଲିସକୁ ହସ୍ତାନ୍ତର କରିଲା ଛତ୍ରପୁର ବଜରଙ୍ଗଦଳ । ଉକ୍ତ ପିକଅପ୍‌ ଭ୍ୟାନ୍‌ରେ ୧୦ଟି ମଇଁଷି ଥିବା ନେଇ ସୂଚନା ମିଳିବା ପରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା କଲେଜ ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଗଞ୍ଜାମ ବ୍ଲକ୍ ରମ୍ଭା ଥାନା ମୟୁରପଦା ଏବଂ ସିଦ୍ଧାନ୍ତନଗରରୁ ଏକ ପିକଅପ୍ ଭ୍ୟାନ୍‌ରେ ମଇଁଷି ଚୋରା ଚାଲାଣ ହେଉଥିଲା । ଉକ୍ତ ଗାଡ଼ିକୁ ଛତ୍ରପୁର ବଜରଙ୍ଗଦଳ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ । ବ୍ରହ୍ମପୁର ହଳଦିଆପଦର ନିକଟରେ ଏହି ମଇଁଷିଙ୍କୁ ଓହ୍ଲାଇ, ଏକ ବଡ଼ ଟ୍ରକ୍‌ରେ ଆନ୍ଧ୍ରର ଏକ ନିର୍ଦ୍ଦିଷ୍ଟ କଂସେଇ ଖାନାକୁ ଯାଇଥାନ୍ତା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଡ୍ରାଇଭର ଏବଂ ଅନ୍ୟ ଜଣକୁ ଅଟକ ରଖିଛି ।  ପିକଅପ୍‌ ଗାଡ଼ିଟି ଜବତ ହୋଇଥିବା ବେଳେ ମଇଁଷିଗୁଡ଼ିକୁ ମଧ୍ୟ ଥାନାରେ ରଖାଯାଇଛି l ଏଥିରେ ଗଞ୍ଜାମ ସହର ଏବଂ ଆଖ ପାଖ ଅଞ୍ଚଳର କିଛି ଯୁବକ ସମ୍ପୃକ୍ତି ରହିଥିବା ଡ୍ରାଇଭର ସୂଚନା ଦେଇଛନ୍ତି । ଏହି ରାକେଟ୍‌ର ମୁଖ୍ୟ ଗଞ୍ଜାମ ସହର ତ୍ରିବେଣୀ ମଠଛକ ନିକଟରେ ରହୁଥିବା ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଅଞ୍ଚଳରୁ ମଇଁଷିଗୁଡିକ ଅଣାଯାଉଥିବା ଜଣାପଡିଛି ।