କୋକସରା,୨୩/୧୨ : ଆଉ କିଛି ଦିନ ପରେ ନୂଆବର୍ଷ ୨୦୨୬ ପାଦ ଥାପିବ । ନୂଆବର୍ଷକୁ ସ୍ୱାଗତ କରିବାକୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଜମୁଛି ବଣଭୋଜିର ଆସର । କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଡୋକାରିଚଞ୍ଚରାରେ ଏବେ ବଣଭୋଜି କରିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସୁବୁଜିମା ସହ ଛୋଟ ବଡ଼ ଜଳପ୍ରପାତ ଓ ନାଦିନି ଝରଣାର କୁଳୁକୁଳୁ ନାଦରେ ଦିନ ଟିଏ ଅତିବାହିତ କରିବା ପାଇଁ ମତୁଆଲା ପର୍ଯଟକ। ଏଠାରେ ଥିବା ଦୁଇଟି ଜଳପ୍ରପାତ ଭୈରବଧାର, ଡୋକରିଦରରୁ ୨ଶହ ଫୁଟ ଉଚ୍ଚରୁ ପଡୁଥିବା ଜଳ ରାଶି ଦିନରେ ବି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିବା ଦେଖିବାକୁ ମିଳେ । ଏହି ଜଳପ୍ରପାତରେ କିଛି ସମୟ ଅତିବାହିତ କରିବା ପାଇଁ ପର୍ଯ୍ୟଟକ ମତୁଆଲା ହୋଇ ପଡ଼ନ୍ତି । ତେବେ ଭୈରବ ଧାର ଜଳପ୍ରପାତ ଯିବା ପାଇଁ ଅତି ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡୁଥିବାବେଳେ ପର୍ଯ୍ୟଟନ ବିଭାଗ ଏହି ଜଳପ୍ରପାତକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି ।

ବଣଭୋଜି କରିବା ପାଇଁ ପରିବାର ବ୍ୟତୀତ ଅନେକ ଯୁବଗୋଷ୍ଠୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଓ ବନ୍ଧୁମିଲନର ଆସରଙ୍କ ଭିଡ଼ ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୭ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରାଯାଇଛି ଓ ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନକୁ ଧର୍ମଗଡ଼ ବନାଞ୍ଚଳ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ସମ୍ପାଦନ ଜାରି ରହିଛି । ତେବେ ଏଠାରେ ମୋବାଇଲ ନେଟୱର୍କ, ପାନୀୟଜଳ, ଶୌଚାଳୟର ସୁବିଧା ନ ଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଵିଶେଷ କରି ମହିଳାମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏତତ୍ ବ୍ୟତୀତ ଏହା ଏକ ପର୍ଯ୍ୟଟନସ୍ଥଳୀ ସହ ପୌରାଣିକ କିମ୍ବଦନ୍ତୀ ବହନ କରିଥିବା ମଧୁ ମାଧବ ତୀର୍ଥ ନାମରେ ମଧ୍ୟ ଆଦୃତ । ଏଠାରେ ରହିଛି ଶ୍ରୀରାମ ମନ୍ଦିର ସହ ଶ୍ରୀରାମ ନବମୀ ସମୟରେ ମହା ଆଡ଼ମ୍ବରରେ ୭ଦିନ ବ୍ୟାପି ରାମ ନବମୀ ପାରାୟଣ ଅନୁଷ୍ଠିତ ହେଉଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ରହିଛି ପୁଣ୍ୟ କୁଣ୍ଡ, ବିଭୁତିକୁଣ୍ଡ, ଗୋ କୁଣ୍ଡ, ସୀତାପାଦ ଭଳି ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ସ୍ଥାନ । ଅନ୍ୟପକ୍ଷରେ ଏହି ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପଞ୍ଚାୟତ ଇକୋ ଟୁରିଜମ ଗ୍ରୁପ ଖଲିଗଡ଼କୁ ଧର୍ମଗଡ଼ ବନାଞ୍ଚଳ ପକ୍ଷରୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କମିଟି କର୍ମକର୍ତ୍ତାମାନେ ପର୍ଯ୍ୟଟନସ୍ଥଳୀକୁ ପିକିନିକ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନ କରିବା ପାଇଁ ସଚେତନତା ବ୍ୟାନର ସହ ପ୍ରତି ସୋମବାର ପର୍ଯ୍ୟଟନ ସ୍ଥଳୀକୁ ସ୍ୱଚ୍ଛ ଭାରତ ପକ୍ଷପାଳନ କରି ମଇଳା ଆବର୍ଜନା ସଫାସୁତୁରା କରୁଥିବା ନେଇ ଇଟିଜି ଖଲିଗଡ଼ କମିଟିର ସଭାପତି ଡମ୍ବରୁ ମାଝୀ, ସମ୍ପାଦକ ମଣି ରାମ ବାଣୁଆ, ସହ ସମ୍ପାଦକ ଖଗେଶ୍ବର ପାଣିଗ୍ରାହୀ, ବିରେନ କନ୍ଧ, ପଦ୍ମନ ଚଳାନ, ବନୁ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।