ନୂଆଦିଲ୍ଲୀ ୨୩/୧୨: ଆମେରିକାର ରୋଡ୍ ଆଇଲାଣ୍ଡ୍ ଆକାଶରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ପାଇଲଟ୍ ଓ ଏଟିସିର କଲ୍ ରେକର୍ଡିଂରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ ୟୁଏଫ୍ଓ (ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବ୍ଜେକ୍ଟ) ଦେଖିବା ବିଷୟରେ ସୂଚନା ଦେଇଛନ୍ତି ।
ନିକଟରେ ସାମ୍ନାକୁ ଆସିଥିବା ଲାଇଭ୍ ଏଟିସି ପ୍ରସାରଣର ଭିଡିଓରେ ଏହି ମୁହୂର୍ତ୍ତ କଏଦ ହୋଇଛି, ଯେଉଁଥିରେ ପାଇଲଟ୍ ଗ୍ରାଉଣ୍ଡ୍ ଟିମ୍କୁ କହିଛନ୍ତି, ଲାଗୁଛି କୌଣସି ରହସ୍ୟମୟୀ ବସ୍ତୁ ଆମ ବିମାନ ସାମ୍ନାରେ କିଛି ଦୂରରେ ଘୁରିବୁଲୁଛି । ଏହା ଏକ ୟୁଏଫ୍ଓ ହୋଇପାରେ ବୋଲି ଅନୁମାନ କରାଯାଉଛି । ପାଇଲଟ୍ ଏଟିସିକୁ ପଚାରିଲେ, ଏଭଳି କୌଣସି ଅଜବ ଛୋଟ ବସ୍ତୁ ବିଷୟରେ ଆପଣଙ୍କ ପାଖରେ କିଛି ସୂଚନା ଅଛି କି? ଏଟିସି ସ୍ପଷ୍ଟ କଲା, ଏ କ୍ଷେତ୍ରରେ ଏଭଳି କୌଣସି ଅନ୍ୟ ବସ୍ତୁ ଉଡ଼ିବାର ରିପୋର୍ଟ ନାହିଁ । ଏଟିସି ପାଇଲଟ୍ଙ୍କୁ ପଚାରିଲା, ବସ୍ତୁଟି ଡ୍ରୋନ୍ ବା ବେଲୁନ୍ କି? ନିୟମିତ ଏଟିସି ଫ୍ରିକ୍ୱେନ୍ସି ବାର୍ତ୍ତା ପୋଷ୍ଟ୍ କରୁଥିବା ଭିଏଏସ୍ଏଭିଏସନ୍ ଚ୍ୟାନେଲ୍ ଦ୍ୱାରା ୟୁଟ୍ୟୁବ୍ରେ ଏହି ରେକର୍ଡିଂ ଶେୟାର କରାଯାଇଥିଲା ।
୫ ଯାତ୍ରୀ କ୍ଷମତାଯୁକ୍ତ ପାଇପର୍ ପିଏ୩୨ଆର୍ଟି-୩୦୦ଟି ଟର୍ବୋ ଲାନ୍ସ-୨ ବିମାନ ଉଡ଼ାଉଥିବା ପାଇଲଟ୍ କହିଲେ, ଆମେ ୩,୫୦୦ ଫୁଟ ଉଚ୍ଚରେ ଅଛୁ । ଏହା ଆମ ୱିଙ୍ଗ୍ଟିପ୍ର ଠିକ୍ ପାଖରୁ ଗତିକଲା । ଏହା ଏକ ଛୋଟ ରୁପାର ଡବା ଭଳି ଥିଲା । କିନ୍ତୁ ବେଲୁନ୍ ନ ଥିଲା ବୋଲି ସେ ସ୍ପଷ୍ଟ କଲେ । ଏହି ଘଟଣା ସତ ହୋଇପାରେ ବୋଲି ଅନ୍ୟ ପାଇଲଟ୍ ମଧ୍ୟ ରେଡିଓରେ ପ୍ରତିକ୍ରିୟା ଦେଇଛନ୍ତି । ଏହା ଭୟଙ୍କର ବୋଲି ଗ୍ରାଉଣ୍ଡ୍ ଟିମ୍ ଏକ ଛୋଟ ଭିଡିଓରେ ଜବାବ ଦେବା ପରେ ଏଟିସିର ଅନ୍ୟ ଜଣେ ଅପରେଟିଭ୍ କହିଲେ, ଏଲିଅନ୍ଙ୍କ ସହ ସାକ୍ଷାତ ପାଇଁ ଶୁଭକାମନା ।