ପୁରୀ, ୧୮/୫ : ମହିଳା ଭକ୍ତ ହେଲେ ଖୁସି । ଶ୍ରୀଜଗନ୍ନାଥ ମନ୍ଦିରରେ ପୁରୀ ପୋଲିସ ଦ୍ୱାରା ଆରମ୍ଭ ହେଲା ‘ପିଙ୍କ ହେଲ୍ପ ଡେସ୍କ’ । ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଇଛି । ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ଏହାକୁ ନେଇ ଗଭୀର ଆଶା ବ୍ୟକ୍ତ କରିଛନ୍ତି ଯେ, ଏହା ମାଧ୍ୟମରେ ମହିଳା ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହିତ ସେମାନଙ୍କ ପାଇଁ ଏକ ସ୍ନେହଭରା ସନ୍ଦେଶ ଦେବାରେ ପିଙ୍କ ହେଲ୍ପ ଡେସ୍କ ସହାୟତା ହେବ।
ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଭକ୍ତ। ସେମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ - "ପିଙ୍କ ହେଲ୍ପ ଡେସ୍କ" ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। ୪ ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ । ଆଜି ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ପିଙ୍କ ହେଲ୍ପ ଡେସ୍କକୁ ସକ୍ରିୟ କାର୍ଯ୍ୟକ୍ଷମ କରିବା ପାଇଁ ମୋଟ ୬ଜଣ ମହିଳା କନଷ୍ଟେବଳଙ୍କୁ ନିଯୁକ୍ତ କରିଛନ୍ତି।
ଯଦି କୌଣସି ମହିଳା ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନଙ୍କୁ ଦୟାଳୁ ଓ ପେଶାଦାର ଭାବେ ସହଯୋଗ କରିବେ। ଭକ୍ତମାନଙ୍କ ମତାମତ, ଅଭିଯୋଗ ଓ ପ୍ରତିକ୍ରିୟା ସଂଗ୍ରହ କରାଯିବ। ଆବଶ୍ୟକ ପରିସ୍ଥିତିରେ ଥାନା ବା ପିସିଆର ସହ ଯୋଗାଯୋଗ କରିବେ। ଏହି ହେଲ୍ପ ଡେସ୍କ ଦ୍ୱାରା ପୁରୀ ପୋଲିସ ଏକ ଉତ୍ତରଦାୟୀ ଓ ଲୋକମୁଖୀ ପୋଲିସିଂ ବ୍ୟବସ୍ଥା ଉପସ୍ଥାପନ କରିବ। ପ୍ରତିଦିନ ଏଥିରେ ସଂଗ୍ରହ ହେଉଥିବା ଫିଡବ୍ୟାକ ଅନୁସାରେ ମନ୍ଦିର ପରିସରରେ ନିର୍ଵିଘ୍ନ ଦର୍ଶନ ଓ ସୁବିଧା ବୃଦ୍ଧି ପାଇଁ କାର୍ଯ୍ୟ ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥ ଧାମ ଯାତ୍ରାକୁ ଅଧିକ ନିରାପଦ, ସମ୍ମାନଜନକ ଓ ଆଧ୍ୟାତ୍ମିକ ଅନୁଭବ କରାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପିଙ୍କ ହେଲ୍ପ ଡେସ୍କ ମହିଳା ଓ ପର୍ଯ୍ୟଟକଙ୍କୁ ସ୍ବାଗତ ଓ ସୁବିଧା ଦେବାରେ ପୁରୀ ପୋଲିସର ଏକ ଅନ୍ତରଙ୍ଗ ପ୍ରୟାସ ହେବ ।
ଏହି କର୍ଯ୍ୟକ୍ରମକୁ ଅନେକ ଭକ୍ତ ପୁରୀ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଏବଂ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉଦଘାଟନରେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ସହ ସିଟି ଡିସପି ପ୍ରଶାନ୍ତ ସାହୁ ଓ ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।