ଦାରିଙ୍ଗବାଡି,୨୩/୦୨: ଜଳ ହିଁ ଜୀବନ । ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସିଯାଇଥିବା ବେଳେ ପାଣି ଟିକିଏ ପାଇଁ କେଉଁଠି ଅଶାନ୍ତି ତ, ଆଉ କେଉଁଠି ରାସ୍ତାରୋକ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ପାଣି ଅଭାବ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଉ କେଉଁଠି ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ତେଲି ଛକ ଠାରୁ ଜୁଡ଼ାବାଡ଼ି ରାସ୍ତା ମଧ୍ୟରେ ଯାଇଥିବା ଜଳ ଯୋଗାଣ ପାଇପ ମଧ୍ୟରେ ।

ପାଇପ୍‌ଟି ଫାଟି ଯାଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ପାଣି ବୋହି ଯାଉଛି । ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ହେଲାଣି ବୋହି ଚାଲିଛି ପାଣି । ହେଲେ ନିରବ ରହିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ଜଳ ଯୋଗାଣ ବିଭାଗ ସବୁ ଜାଣି ଥିଲେ ସୁଦ୍ଧା ଫାଟି ଥିବା ପାଇପ୍‌କୁ ମରାମତି କରିବା ପାଇଁ ଆନ୍ତରିକତା ଦେଖାଉ ନାହିଁ । ଫଳରେ ପ୍ରତି ଦିନ ଡ୍ରେନ ମଧ୍ୟ ଦେଇ ଯାଇଥିବା ଯୋଗାଣ ପାଇପ୍‌ରୁ ପାଣି ଲିକେଜ୍ କରି ବୋହି ଯାଉଛି । ଫଳରେ ଲୋକେ ସଠିକ୍ ଭାବେ ପାଣି ପାଇ ପାରୁ ନାହାଁନ୍ତି । କମ୍‌ ସମୟ ପାଣି ଆସି ବନ୍ଦ ହୋଇ ଯାଉଛି । 

ଅନ୍ୟପଟେ ଡ୍ରେନ୍‌ ମଧ୍ୟରେ ପାଇପ ଲାଇନ ଯାଇଥିବା ଯୋଗୁଁ ଡ୍ରେନ୍‌ ମଧ୍ୟରେ ରହିଥିବା ଦୂଷିତ ପାଣି ପାଇପ୍‌ ମଧ୍ୟ ଦେଇ ପ୍ରବେଶ କରୁଛି । ଫଳରେ ଉକ୍ତ ପାଣି ପିଇବା ଯୋଗ୍ୟ ହେଉ ନଥିବା ଦେଖିବାକୁ ମିଳୁଛି । ଏଣୁ ଡ୍ରେନ୍‌ ମଧ୍ୟ ଦେଇ ଯାଇଥିବା ପାଇପ ଲାଇନ୍‌କୁ ସ୍ଥାନାନ୍ତର କରିବା ସହ ଫାଟିଥିବା ପାଇପ୍‌ ଲାଇନ୍‌କୁ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।