ବ୍ରହ୍ମପୁର ୧୪/୦୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୬ ଅଭିଯୁକ୍ତ ମଳୟ ବିଷୋୟୀ, ଜୟପୁରର ଫାର୍ମ ହାଉସ୍ ମାଲିକ ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ ଓ ଦୁଇ ବିହାରୀ ଯୁବକ କୁନ୍ଦନ କୁମାର ଓ ଶିଶୁପାଳ କୁମାର ପାଶୱାନଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ବ୍ରହ୍ମପୁର ଏସ୍‌ଡିଜେଏମ୍ ମଙ୍ଗଳବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୧୬ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଆଇନଜୀବୀ ଚକ୍ରପାଣି ନାହାକ । ଉପରୋକ୍ତ ୬ ଅଭିଯୁକ୍ତ ନିଜ ଓକିଲଙ୍କ ଜରିଆରେ ଖଲାସ ପିଟିସନ ଓ ଜାମିନ ଆବେଦନ କରିଥିଲେ ।

୨୦୨୫ ଅକ୍ଟୋବର ୬ ଅର୍ଥାତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକରେ ଘର ପାଖରେ ଗୁଳି କରି ହତ୍ୟା କରାଯାଇଥିଲା । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବିଏମ୍‌ସି ପୂର୍ବତନ ମେୟର୍ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ସମେତ ୧୬ ଜଣ ଗିରଫ ହୋଇଥିଲେ । ବର୍ତ୍ତମାନ ୧୫ ଜଣ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହିଥିବା ବେଳେ ପିଣ୍ଟୁ ଫୁଲବାଣୀ ଜେଲରେ ବନ୍ଦୀ ଭାବେ ରହିଛନ୍ତି ।