ବ୍ରହ୍ମପୁର,୨୬/୦୨: ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୫ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ବୁଧବାର ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠରେ ଜାମିନ ଆବେଦନର ଶୁଣାଣି କରାଯାଇଥିଲା । ସରକାରୀ ଓକିଲ ସମୟ ମାଗିଥିଲେ । ଯାହାଫଳରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖରେ ଧାର୍ଯ୍ୟ ହୋଇଥିବା ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟନ ସୂଚନା ଦେଇଛନ୍ତି ।
ସେପଟେ ପୁଲିସ ଚାର୍ଜସିଟ୍ ଦାଖଲ କରିସାରିଥିବାବେଳେ ଦୁଇଜଣ ଅଭିଯୁକ୍ତ ଏବେ ଡାକ୍ତରଖାନାରେ ଥିବାରୁ ଚାର୍ଜଫ୍ରେମ ହୋଇପାରୁ ନାହିଁ । ପ୍ରତିପକ୍ଷ ଓକିଲଙ୍କ ସମସ୍ତ ରେକର୍ଡର କପି ଏବଂ ବିକ୍ରମଙ୍କ ଆପତ୍ତିଜନକ ଫଟୋ ଥିବା ପେନ୍ଡ୍ରାଇଭ୍ ମଧ୍ୟ ଦେଇନାହିଁ । ଜବତ ହୋଇଥିବା ସମସ୍ତ କପି ଦେବାକୁ କୋର୍ଟ ନିର୍ଦ୍ଦେଶ କରିଥିବାବେଳେ ଗତକାଲି ପୁଲିସ ଦୁଇ ଟ୍ରଙ୍କ୍ ଜବତ କାଗଜ ଦାଖଲ କରିଥିଲା । ସେ ଗୁଡ଼ିକ ସ୍ପଷ୍ଟ ଦେଖାଯାଉନଥିବାରୁ କୋର୍ଟ ଫେରାଇ ଦେଇଥିଲେ । ଆସନ୍ତା ୫ ତାରିଖରେ ସ୍ପଷ୍ଟ ଦିଶୁଥିବା କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୋର୍ଟ ।
ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କ ହତ୍ୟା ହୋଇଥିଲା । ପୁଲିସ ଅକ୍ଟୋବର ୨୨ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା କାରଣରୁ ପୂର୍ବତନ ବିଧାୟକ ଏବଂ ପୂର୍ବତନ ମେୟର ଶିବ ଶଙ୍କର ଦାଶ ହତ୍ୟା କରାଇଥିବା ପୁଲିସ ପ୍ରକାଶ କରିଥିଲା । ପ୍ରଥମେ ଏହି ଦୁଇଜଣଙ୍କ ସମେତ ମୋଟ ୧୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସେପଟେ ବିକ୍ରମ କୁମାର ପଣ୍ଡା ଓ କର୍ପୋରେଟର ମଳୟ ବିଷୋୟୀ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କୋର୍ଟ ନିର୍ଦ୍ଦେଶ ପ୍ରକାରେ ଉଭୟଙ୍କ ଚିକିତ୍ସା କରାଯାଉଛି ।