ବ୍ରହ୍ମପୁର,୨୦/୧୧: ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୁଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ପୁଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି । ପରିବାରକୁ ପୁଲିସ ସୁରକ୍ଷା ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହ ବର୍ତ୍ତମାନ ଆଉ ଭୟଭୀତ ନୁହଁନ୍ତି । ତେଣୁ ଦିଆଯାଇଥିବା ପୁଲିସ ସୁରକ୍ଷା ଫେରାଇନେବାକୁ ସେ ଅନୁରୋଧ କରିଛନ୍ତି । ସେ ଓ ପରିବାରର ସବୁ ସଦସ୍ୟ ଆଇଆଇସିଙ୍କ ସଂପର୍କରେ ରହିବେ ।

ପୀତବାସଙ୍କ ହତ୍ୟା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପାଟ୍ରୋଲିଂ ଗାଡ଼ି ପୀତବାସଙ୍କ ଘର ବୈକୁଣ୍ଠନଗରକୁ ଯିବା ସହ ସେଠାରେ ଦୁଇଜଣ ପୁଲିସ କର୍ମଚାରୀ ଜଗି ରହୁଥିଲେ । କିନ୍ତୁ ପୀତବାସଙ୍କ ପରିବାର ଲୋକ ସେଠାରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ଥାନାରେ ଅନୁରୋଧ କରିଥିଲେ । ପୀତବାସଙ୍କ ଘର ଆଗରୁ ସୁରକ୍ଷାକର୍ମୀଙ୍କୁ ହଟାଯାଇଥିଲା । କିନ୍ତୁ ପୁଲିସ ସୁରକ୍ଷା ହଟିବା ପରେ ପୀତବାସଙ୍କ ପୁଅ ସୌରଭଙ୍କୁ ଫୋନ୍ କରି କିଛି ଦୁର୍ବୃତ୍ତ ଧମକ ଦେଇଥିବା ଗତ ୮ତାରିଖରେ ପୀତବାସଙ୍କ ଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଥିଲେ । ପୁଲିସ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଚଳାଇଥିବାବେଳେ କିଏ ଫୋନ୍ କରିଥିଲେ ସେ ସମ୍ପର୍କରେ କିଛି ତଥ୍ୟ ପାଇପାରୁନି ପୁଲିସ । ପୀତବାସଙ୍କ ପରିବାର ପ୍ରତି ବିପଦ ଥିବା ହୃଦ୍ବୋଧ କରି ପୁଲିସ ପୁଣି ଘର ଆଗରେ ସୁରକ୍ଷା ବ୍ୟବସ୍ଥା କରିଥିଲା । ଦୁଇଜଣ କନେଷ୍ଟବଳ ନିୟୋଜିତ ହୋଇଥିଲେ । ଧମକ କଲ୍ ଅଭିଯୋଗର ତଦନ୍ତ ଚାଲିଥିବାବେଳେ ହଠାତ୍ ପୁଣି ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ସେ ଥାନାରେ ଜଣାଇଛନ୍ତି ।

ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସଂପୃକ୍ତ ମାମଲାରେ ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସହ ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।