ଭୁବନେଶ୍ଵର, ୦୯/୦୧ : ନୋଟିସ୍ ନପାଇଲା ଯାଏଁ ଛାଡ଼ିବିନି ମଞ୍ଚ। କୋର୍ଟଙ୍କ ଷ୍ଟେ ଅର୍ଡର ନେଇ ମୁହଁ ଖୋଲିଲେ ବ୍ୟାଡ୍ ବୟ। ଯାତ୍ରା ବିବାଦ ନେଇ ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀଙ୍କ ବଡ଼ ବୟାନ। କହିଲେ, ଆପଣଙ୍କ ପାଇଁ ଏହା ବିବାଦ ହୋଇପାରେ ହେଲେ ମୋ ପାଇଁ ବିପଦ। ଯାହା ନ କହିକି ଆସିଛି। ଆଶା କରୁଛି ଏହାର ସୁରୁଖୁରୁରେ ସମାଧାନ ହୋଇଯାଉ। ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରଷା ଅଛି। ନ୍ୟାୟର ବିଚାର ହେବ। ଏବେସୁଦ୍ଧା କୋର୍ଟ ନୋଟିସ୍ ପାଇନି। ନୋଟିସ୍ ପାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି। ନିଜ ଉପରେ ବିଶ୍ୱାସ ଅଛି, ମଞ୍ଚ ଛଡିବିନି। ଯାହାବି କିଛି ବିବାଦ ହୋଇଛି, ତାର ସମାଧାନ ସମ୍ଭବ। ଦୁଃଖର ବିଷୟ ଏଗ୍ରିମେଣ୍ଟ ପେପର ସାର୍ବଜନୀନ ହୋଇପାରିଲାନି। 

ପୀୟୁଷ କହିଛନ୍ତି ଯେ, ମୁଁ ସେମିତି କିଛି ବଡ଼ ଅପରାଧ କରିନି, ଯେଉଁଥିପାଇଁ ମୋତେ ମଞ୍ଚରୁ ଦୂରେଇ ଯିବାକୁ ପଡ଼ିବ। ସମସ୍ତଙ୍କ ଦ୍ଵାରା ଭୁଲ୍ ହୁଏ। ହେଲେ ଏହି ଭୁଲ୍ ର ସମାଧାନ ହୋଇପାରିବ। ଏହାର ଅର୍ଥ ନୁହେଁ ମଞ୍ଚ ଛାଡ଼ିଦେବି। ଏପର୍ଯ୍ୟନ୍ତ ଯେତେବି ବିବାଦ ହୋଇଛି, ତା ପଛରେ ମୂଳ କାରଣ ଅହଙ୍କାର। ମୁଁ ପଣିଆ ଠାରୁ ଏଭଳି କିଛି ସମସ୍ୟା ନାହିଁ ଯାହାର ସମାଧାନ ହୋଇପାରିବନି। ପରକୁ ଦୋଷ ନଦେଇ ନିଜ ତ୍ରୁଟିକୁ ସୁଧାରି ନେବା ଭଲ। ନ୍ୟାୟପାଳିକା ଉପରେ ବିଶ୍ଵାସ ଅଛି, ଧର୍ମର ନିଶ୍ଚୟ ଜୟ ହେବ। 

ବିବାଦ ପରେ ଯାତ୍ରାରୁ ବିଶ୍ରାମ ନେଇଥିବା ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ନୂଆବର୍ଷରେ ମଞ୍ଚ ଚଢିଥିଲେ। ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଏଣ୍ଟ୍ରି କରିଥିଲେ। ଏହି ନାଟକ ଏବଂ ପୀୟୂଷଙ୍କ ଅଭିନୟର ଲୋକପ୍ରିୟତା ଲୋକଙ୍କୁ ପାଗଳ କରିଥିଲା ବେଳେ ହଜାର ହଜାର ଦର୍ଶକ ଅନଲାଇନରେ ଆଗୁଆ ଟିକଟ୍ ବୁକ୍ କରିଥିଲେ। ଚଣ୍ଡିଖୋଲରେ ନାଟକଟି ମଞ୍ଚସ୍ଥ ହୋଇଥିଲା ବେଳେ ଏବେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା । ହେଲେ ନୂଆବର୍ଷରୁ ପୀୟୂଷ ମଞ୍ଚ ଚଢିବାକୁ ନେଇ ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝମେଲା ଆହୁରି ବଢ଼ିଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚକୁ ଚଢ଼ିପାରିବେନି ବୋଲି ଭୁବନେଶ୍ୱର ସିଭିଲ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିବା ମାମଲାରେ ଅଦାଲତ ଏହି ରୋକ୍ ଲଗାଇଛନ୍ତି। ଆଗାମୀ ଶୁଣାଣି ତାରିଖ ଆସନ୍ତା ୧୨କୁ ଧାର୍ଯ୍ୟ କରାଯାଇଛି। ଏବେ ଦ୍ୱନ୍ଦ୍ୱ, ପୀୟୂଷ ମଞ୍ଚରେ ଅଭିନୟ ଜାରି ରଖିବେ ନା ପୂର୍ବ ପରି ପୁଣି ଘରେ ବସିବେ। ସେପଟେ ତାଙ୍କୁ ନେଇ ପାର୍ଟି ବୁକିଂ କରିଥିବା ବିଭିନ୍ନ ଯାତ୍ରା କମିଟି ଓ ଦର୍ଶକ ଏବେ ଦୋଛକିରେ ।

ଏହି ଖବରଟିକୁ ପଢନ୍ତୁ- ଯାତ୍ରାର ଝାମେଲା ଆହୁରି ବଢ଼ିବ: ପୀୟୂଷ କହିଲେ କୋର୍ଟଙ୍କ ନୋଟିସ୍‌ ମିଳିନି, ଅଭିନୟ କରିବି...