ଭୁବନେଶ୍ୱର,୦୯/୦୧: ଯାତ୍ରାରେ ପୁଣି ପୀୟୂଷ ଯାତେରା । ଜଲିଉଡ୍ର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ନୂଆ ବିବାଦ । ନୂଆବର୍ଷରୁ ମଞ୍ଚରେ ଅଭିନୟକୁ ନେଇ ଆରମ୍ଭ ହୋଇଛି ଟଣାଓଟରା । କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝମେଲା ଆହୁରି ବଢ଼ିଯାଇଛି । ମୁହାଁମୁହିଁ ହୋଇଛନ୍ତି ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ । ଏବେ ଦ୍ୱନ୍ଦ୍ୱ, ପୀୟୂଷ ମଞ୍ଚରେ ଅଭିନୟ ଜାରି ରଖିବେ ନା ପୂର୍ବ ପରି ପୁଣି ଘରେ ବସିବେ । ଘଟଣାକୁ ନେଇ ପୀୟୂଷ ହରଡ଼ଘଣାରେ ପଡ଼ିଥିଲା ବେଳେ ତାଙ୍କୁ ନେଇ ପାର୍ଟି ବୁକିଂ କରିଥିବା ବିଭିନ୍ନ ଯାତ୍ରା କମିଟି ଓ ଦର୍ଶକ ଏବେ ଦୋଛକିରେ ।

ଗଣମାଧ୍ୟମରେ ପୀୟୂଷ କହିଛନ୍ତି, କୋର୍ଟଙ୍କ ନୋଟିସ୍ ମିଳିନି । ଯେ ପର୍ଯ୍ୟନ୍ତ ନୋଟିସ୍ ନ ମିଳିଛି ସେ ପର୍ଯ୍ୟନ୍ତ ଅଭିନୟ କରିବି । ଆଇନକୁ ସମ୍ମାନ ଦେଉଛି । ନୋଟିସ୍ ମିଳିଲେ ଯାତ୍ରା ମାଲିକ ଏବଂ ଓକିଲଙ୍କ ସହ ପରାମର୍ଶ କରି ଆଗାମୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନେବି ।

​​​​​​​

ସୂଚନାଯୋଗ୍ୟଯେ, ଗତ ବର୍ଷଠୁ ବିବାଦ ପରେ ବିଶ୍ରାମ ନେଇଥିବା ପୀୟୂଷ ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ମଞ୍ଚ ଚଢ଼ିଥିଲେ । ନାଟକ ‘ତୁ ମୋ ବଜରଙ୍ଗୀ’ ମାଧ୍ୟମରେ ସେ ପ୍ରବେଶ କରିଥିଲେ । ଏ ନାଟକ ଏବଂ ପୀୟୂଷଙ୍କ ଅଭିନୟର ଲୋକପ୍ରିୟତା ଲୋକଙ୍କୁ ପାଗଳ କରିଥିଲାବେଳେ ହଜାର ହଜାର ଦର୍ଶକ ଅନ୍ଲାଇନ୍ରେ ଆଗୁଆ ଟିକଟ୍ ବୁକ୍ କରିଥିଲେ । ଚଣ୍ଡିଖୋଲରେ ମଞ୍ଚସ୍ଥ ନାଟକକୁ ରାତି ରାତି ଉପଭୋଗ କରିଥିଲା ବେଳେ ଏବେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା । ତା’ପୂର୍ବରୁ ଗତକାଲି ପୀୟୂଷଙ୍କୁ ଅଦାଲତଙ୍କ ନିର୍ଦ୍ଦେଶ କଣ୍ଟା ସାଜିଛି । ଭୁବନେଶ୍ୱର ସିଭିଲ ଜଜ୍ (ଜୁନିଅର ଡିଭିଜନ)ଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚକୁ ଚଢ଼ିପାରିବେନି । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିବା ମାମଲାରେ ଏହି ରୋକ୍ ଲଗାଇଛନ୍ତି ଅଦାଲତ । ଆଗାମୀ ଶୁଣାଣି ତାରିଖ ଆସନ୍ତା ୧୨କୁ ଧାର୍ଯ୍ୟ କରାଯାଇଛି ।