ନୂଆଦିଲ୍ଲୀ,୧୧/୦୧: ସବୁକିଛି ଠିକ୍‌ଠାକ୍‌ ଥିଲା । ସମୟ ଅନୁସାରେ ଟେକ୍ଅପ କଲା । ହେଲେ ଉଡ଼ାଣର କିଛି ସମୟ ପରେ ମଝି ଆକାଶରୁ ଖସି ପଡ଼ିଲା ପ୍ଲେନ୍ । ସିଧା ମୁହଁମାଡି ବିଲରେ ପଡିଲା ବିମାନ । ଆଉ ହୁତୁହୁତୁ ହୋଇ ଜଳିଉଠିଲା ଉଡ଼ାଜାହଜ । ବର୍ଷ ଆରମ୍ଭରୁ କଲମ୍ବିଆରେ ବଡ଼ ଦୁର୍ଘଟଣା ଘଟିଛି । ବୋଗୋଟାରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଲୋକପ୍ରିୟ କଲମ୍ବିଆନ୍ ଗାୟକ ଏବଂ ଗୀତିକାର ୟେସନ୍ ଜିମେନେଜ୍ ମଧ୍ୟ ଅଛନ୍ତି ।

ଏହି ଖବର ବ୍ୟାପିବା ପରେ ଜିମେନେଜ୍‌ଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିମାନ ଦୁର୍ଘଟଣାରେ ଜିମେନେଜ୍‌ଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି । ସୋସିଆଲ ମିଡିଆରେ ପ୍ରସିଦ୍ଧ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିବାରେ ଲାଗିଛି । ପ୍ରଶଂସକମାନେ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରୁଛନ୍ତି । କଲମ୍ବିଆର ବୋୟାକା ପ୍ରଦେଶରେ ଏହି ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଚାର୍ଟର ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେରୁ ଆଉ ଉଚ୍ଚ ଆକାଶକୁ ଯାଇପାରିନଥିଲା । ଶେଷରେ ରନୱେ ପାଖରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା । ଘଟଣାସ୍ଥଳରୁ ମିଳିଥିବା ଭିଡ଼ିଓରେ  ବିମାନର ଭଗ୍ନାବଶେଷ ନିଆଁରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ବୋୟାକାର ପାଇପା ଏବଂ ଡୁଇଟାମା ମଧ୍ୟରେ ଘଟିଛି ।

​​​​​​​

ଲୋକପ୍ରିୟ କଲମ୍ବିଆନ୍ ଗାୟକ ଜିମେନେଜ୍ ଏକ ଘରୋଇ ବିମାନରେ ଯାତ୍ରା କରୁଥିଲେ । ଅଧିକାରୀମାନେ କହିଛନ୍ତି ଯେ, ଜିମେନେଜ୍ ଏବଂ ପାଇଲଟ୍ ସମେତ ୬ ଜଣ ବିମାନରେ ଥିଲେ । ଦୁର୍ଘଟଣାରେ ଆଖି ବୁଜିଥିବା ଅନ୍ୟ ୪ ଜଣ ଜିମେନେଜ୍‌ଙ୍କ ଦଳର ସଦସ୍ୟ ବୋଲି ଜଣାପଡ଼ିଛି । ଜିମେନେଜ୍ ବୋୟାକାରେ  ଶୋ କରିଥିଲେ ।  ମାରିନିଲାରେ ଏକ ଶୋ  ପାଇଁ ମେଡେଲିନ୍ ବିମାନବନ୍ଦରକୁ ଏକ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଥିଲେ । ହେଲେ କିଏ ଜାଣିଥିବା ଏହା ତାଙ୍କର ଶେଷ ଯାତ୍ରା ବୋଲି ।