କଟକ ୧୪/୧୧: ଚଳିତ ବର୍ଷ ପ୍ଲାଷ୍ଟିକ୍‌ ମୁକ୍ତ ବାଲିଯାତ୍ରା ଆୟୋଜନ କରିବାକୁ ନେଇ  ବିଶେଷ କିଛି ଯୋଜନା ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ପରେ  କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସିଏମ୍‌ସି ସାନିଟେସନ୍‌ ବିଭାଗ ଦ୍ୱାରା ଏଥିପାଇଁ ଜିଲ୍ଲା  ପ୍ରଶାସନ ଦ୍ୱାରା ଆଲୋଚନା କରାଯାଇ ଏକ ନିଆରା ଉଦ୍ୟମ  କରାଯିବ । ଏଥିରେ କୌଣସି ଲୋକ ପାଣି ବୋତଲ ଏଣେତେଣେ ନ ଫୋପାଡି ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କେନ୍ଦ୍ରରେ ପୈଠ କରିଲେ  ସେମାନଙ୍କୁ ତାହା ବଦଳରେ କାଡ୍‌ବେରି କମ୍ପାନୀର ଚକୋଲେଟ୍‌  ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଯାହାଦ୍ୱାରା ବାଲିଯାତ୍ରାରେ ପ୍ଲାଷ୍ଟିକ୍‌ ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରିବ ବୋଲି  କର୍ତ୍ତୃପକ୍ଷ ଆଶା ବ୍ୟକ୍ତ  କରିଛନ୍ତି ।  

ଗତ ଦୁଇ ବର୍ଷ ହେବ ମେଳା  ସମୟରେ ପଡିଆକୁ  ପ୍ଲାଷ୍ଟିକ୍‌ ଆବର୍ଜନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ପ୍ରଥମେ  ୨୦୨୨ମସିହାରେ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ଥିଲାବେଳେ ତାହା ଫେଲ୍‌ ମାରିଥିଲା । ଏହାପରେ ୨୦୨୩ମସିହାରେ ପୁଣି କେବଳ ସଂଗ୍ରହ  ଷ୍ଟଲ୍‌ ଖୋଲାଯାଇଥିଲା କିନ୍ତୁ ଲୋକମାନେ ଆଗ୍ରହ ପ୍ରକାଶ କରି ନ  ଥିଲେ । ଏ ବର୍ଷ ମଧ୍ୟ ପୂର୍ବରୁ କୌଣସି ଯୋଜନା ନ ଥିଲାବେଳେ  ଜରି ଗୋଟାଳିଙ୍କ ଉପରେ ଭରସା କରିବାକୁ ନେଇ ଅସନ୍ତୋଷ  ପ୍ରକାଶ ପାଇଥିଲା । ଏହାପରେ ଏବେ ସିଏମ୍‌ସି ପକ୍ଷରୁ ନୂଆ  ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ସିଏମ୍‌ସି ଦ୍ୱାରା  ଉପର ଓ ତଳ ପଡିଆରେ ୬ଟି ଷ୍ଟଲ୍‌ କରାଯିବ । ସିଏମ୍‌ସି ଓ ଓଡିଶା ଡେଭେଲପ୍‌ମେଣ୍ଟ୍‌ ନାମକ ସଂସ୍ଥାର ମିଳିତ ଉଦ୍ୟମରେ ପ୍ଲାଷ୍ଟିକ୍‌  ସଂଗ୍ରହ କେନ୍ଦ୍ର ଖୋଲିବ । ଏଥିରେ ପ୍ରତି ପାଣି ବୋତଲ ବଦଲରେ  ଏକ ଚକୋଲେଟ୍‌ ଦିଆଯିବ । ଏହାବାଦ୍‌ ଲୋକଙ୍କୁ ଏ ଦିଗରେ  ସଚେତନ କରିବା ପାଇଁ ମାଇକ୍‌ ପ୍ରଚାର ସହ କିଛି କର୍ମଚାରୀମାନେ  ସ୍ୱତନ୍ତ୍ର ପୋଷାକ ପରିଧାନ କରି ମେଳାରେ ବୁଲିବେ । ଏହାସହ  ଲୋକଙ୍କୁ ପ୍ଲାଷ୍ଟିକ୍‌ ବୋତଲ ନ ଫୋପାଡିବାକୁ ସଚେତନ କରାଇବେ  ବୋଲି ଯୁଗ୍ମ କମିସନର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସୂଚନା ଦେଇଛନ୍ତି ।