ଭୁବନେଶ୍ୱର,୦୭/୧୦: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ଶ୍ରେଣୀ) ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା ହୋଇଛି । ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ଯାଏ ରେଗୁଲାର ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିପାରିବେ । ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ଚଳିତମାସ ୧୩ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ । କିନ୍ତୁ ଏହି ସମୟସୀମା ମଧ୍ୟରେ ଫର୍ମ ପୂରଣ କରିପାରି ନଥିବା ପରୀକ୍ଷାର୍ଥୀମାନେ ୨୦୦ ଟଙ୍କା ଜରିମାନା ଦେଇ ନଭେମ୍ବର ୧୦ରୁ ୧୪ ଯାଏ ଫର୍ମପୂରଣ କରିବାକୁ ସୁଯୋଗ ପାଇବେ । ଯଦି ଏହି ସମୟ ସୀମା ମଧ୍ୟ କେହି ରହିଯାଇଥାନ୍ତି ସେମାନଙ୍କୁ ଏକ ଶେଷ ସୁଯୋଗ ମିଳିବ । ଯାହା ୬୦୦ ଟଙ୍କା ଜରିମାନା ଦାଖଲ କରି ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬ ଫେବ୍ରୁଆରୀ ୧୨ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଛି । ସିଏଚ୍ଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରତି ପରୀକ୍ଷାର୍ଥୀ ୮୦୦ ଟଙ୍କା ଦାଖଲ କରିବେ । ଏଥିରେ ଫର୍ମପୂରଣ ପାଇଁ ୬୦୦ ଟଙ୍କା, ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଓ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଫି ରଖାଯାଇଛି । ବାଣିଜ୍ୟ ଛାତ୍ରଛାତ୍ରୀ ପ୍ରୋଜେକ୍ଟ ୱାର୍କ ପାଇଁ ପ୍ରତି ପେପର ପିଛା ୪୦ ଟଙ୍କା ଅତିରିକ୍ତ ଦାଖଲ କରିବେ ।
ସେହିପରି ଯେଉଁ ପରୀକ୍ଷାର୍ଥୀଙ୍କର ପ୍ରାକ୍ଟିକାଲ ବିଷୟ ଥିବା ସେମାନେ ପ୍ରତି ପେପର ପିଛା ୪୦ ଟଙ୍କା ଦେବେ, ଇଣ୍ଟରନାଲ୍ ପରୀକ୍ଷା ପାଇଁ ପ୍ରତି ପେପର ପିଛା ୪୦ ଟଙ୍କା ଦେବେ । ବାେୟୋଲୋଜି ବିଷୟର ପ୍ରାକ୍ଟିକାର୍ପାଇଁ ୮୦ ଟଙ୍କା ଏଥିସହ ଆଡିସିନାଲ ସେଣ୍ଟର ଚାର୍ଜ ପ୍ରତି ପରୀକ୍ଷାର୍ଥୀଙ୍କଠୁ ୫୦ ଟଙ୍କା ଲେଖାଏଁ ଆଦାୟ କରାଯିବ । ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ୫୦୦ ଟଙ୍କା ଦେବାକୁ ହେବ । ଏହି ଫର୍ମ ପୂରଣ ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇବା ଲାଗି ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ଫର୍ମପୂରଣ ଶେଷ ହେବା ପରେ ସିଏଚ୍ଏସ୍ଇର ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।