ପାଟନା,୧୫/୧୧: ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବରେ ପାଳନ କରୁଛି ଦେଶ । ଏହି ଅବସରରେ ବିହାରର ଜମୁଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ୬୬୦୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିର୍ସାମୁଣ୍ଡାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପୋଷ୍ଟାଲ ଷ୍ଟାମ୍ପ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହାସହିତ ଏକାଧିକ ଯୋଜନା ଘୋଷଣା କରିବା ସହ ଜନସଭାକୁ ସମ୍ବୋଧନ କରିଛନ୍ତି ।
ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ବ ସରକାର ଏନଡିଏ ଆଦିବାସୀଙ୍କ କଲ୍ୟାଣ ପାଇଁ ଅଲଗା ମନ୍ତ୍ରଣାଳୟ କରିଥିଲା । ୧୦ ବର୍ଷ ପୂର୍ବରୁ ଆଦିବାସୀ ପରିବାର ବିକାଶ ପାଇଁ ବଜେଟ ୨୫ ହଜାର କୋଟିରୁ କମ ଥିଲା । ଆମ ସରକାର ଏହାକୁ ବୃଦ୍ଧି କରି ୧.୨୫ ଲକ୍ଷ କରିଛି । ଯାହା ୫ଗୁଣା ଅଧିକ । ଏନଡିଏ ସରକାର ଅନନ୍ୟ । ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ପିଏମ ଜନମନ ଯୋଜନାରେ ଯେଉଁ କାର୍ଯ୍ୟ ହୋଇଛି ତାର ସମସ୍ତ ଶ୍ରେୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଯାଉଛି । ତାଙ୍କ ପାଇଁ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''କିଛି ଦିନ ତଳେ ଦେଶରେ ୬୦ ହଜାର ଆଦିବାସୀ ଗାଁର ବିକାଶ ପାଇଁ ଧରତୀ ଆବା, ଜନଜାତିୟ ଗ୍ରାମ ଉତ୍କର୍ସ ଯୋଜନା ଆରମ୍ଭ ହୋଇଛି । ଏଥିରେ ୮୦ ହଜାର କୋଟି ଖର୍ଚ୍ଚ ହେବ । ଏଥିରେ ସମସ୍ତଙ୍କୁ ମୌଳିକ ସୁବିଧା ଓ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯେଉଁମାନଙ୍କୁ କେହି ପଚାରନ୍ତି ନାହିଁ ମୋଦି ସେମାନଙ୍କୁ ପୂଜା କରେ । ଆଦିବାସୀଙ୍କ ବିକାଶ ପାଇଁ ଏନଡିଏ ସରକାର ଅହରହ ଉଦ୍ୟମ କରୁଛି । ଆଦିବାସୀଙ୍କ ପାଇଁ ୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି । ସେମାନଙ୍କ ପାଇଁ ସ୍କୁଲ, ହଷ୍ଟେଲ, ସ୍ବାସ୍ଥ୍ୟ ସୁବିଧାର ଆଦିର ପ୍ରକଳ୍ପ ରହିଛି । ଆଦିବାସୀ ପରିବାର ପାଇଁ ଦେଢ ଲକ୍ଷ ଆଦିବାସୀ ସ୍ବୀକୃତିପତ୍ର ଦିଆଯାଇଛି । ସ୍ବାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା ଗୋଟିଏ ପରିବାର ମିଶନ ହୋଇଛି ।''
ପାରମ୍ପରିକ ଆଦିବାସୀ ଗୀତରେ ନାଚିଲେ ପ୍ରଧାନମନ୍ତ୍ରୀ - ଜମୁଇରେ ପହଞ୍ଚିବା ପରେ ପାରମ୍ପରିକ ଆଦିବାସୀ ଲୋକଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରାଯାଇଥିଲା । ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ସେଠାରେ ପାରମ୍ପରିକ ଆଦିବାସୀ ଲୋକଗୀତରେ ଝୁମିବା ସହିତ ଡ୍ରମ ବଜାଇଥିବା ଦେଖିବାକୁ ମିଳିଥିଲା ।