ନୂଆଦିଲ୍ଲୀ,୧୫/୦୮:  ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଯୁବବର୍ଗଙ୍କ ପାଇଁ ପିଏମ୍‌ ବିକଶିତ ଭାରତ ରୋଜଗାର ଯୋଜନା, ଶତ୍ରୁର ଯୋଜନା ପଣ୍ଡ କରିବାକୁ ସୁଦର୍ଶନ ଚକ୍ର ମିଶନ୍‌ ଓ ଅନୁପ୍ରବେଶ ରୋକିବାକୁ ଡେମାଗ୍ରାଫି ମିଶନ୍ ଆରମ୍ଭ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବିକଶିତ ଭାରତ ରୋଜଗାର ଯୋଜନା- ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ବିକଶିତ ଭାରତ ରୋଜଗାର ଯୋଜନା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା ହେଉଛି ବିକଶିତ ଭାରତ ରୋଜଗାର ଯୋଜନା । ଆଜିଠୁ ଏହି ଯୋଜନା ଲାଗୁ ହୋଇଛି । ଯୁବକଙ୍କୁ ରୋଜଗାର ମିଳିବ । ସାଢେ ୩ କୋଟି ଯୁବକଙ୍କୁ ରୋଜଗାର ମିଳିବ । ଏହି ଯୋଜନା ଅଧୀନରେ, ପ୍ରଥମ ଚାକିରି ପାଇବା ଉପରେ ଯୁବକମାନଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ବିକଶିତ ଭାରତ ରୋଜଗାର ଯୋଜନା ୯୯,୪୪୬ କୋଟି ରୋଜଗାର ସୃଷ୍ଟି ହେବ ।

ଆରମ୍ଭ ହେବ ସୁଦର୍ଶନ ଚକ୍ର ମିଶନ୍‌- ଲାଲାକିଲ୍ଲାରୁ ସୁଦର୍ଶନ ଚକ୍ର ମିଶନ ଆରମ୍ଭ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରୀୟ ସୁରକ୍ଷା କବଚକୁ ବିସ୍ତାର କରିବୁ । ୨୦୧୩୫ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଦେବୁ । ଶୀଘ୍ର ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛୁ । ସୁଦର୍ଶନ ଚକ୍ର ମିଶନ ପାୱାରଫୁଲ୍‌ ୱିପେନ୍‌ ସିଷ୍ଟମ ହେବ । ଶତ୍ରୁର ଆକ୍ରମଣକୁ ଏହା ବିଫଳ କରିବ । ଆଗାମୀ ୧୦ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା କବଚ ବିସ୍ତାର ହେବ । ଭଗବାନ୍ ଶ୍ରୀକୃଷ୍ଣଙ୍କଠୁ ପ୍ରେରଣା ପାଇ ସୁଦର୍ଶନ ଚକ୍ରର ରାସ୍ତା ବାଛିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନୁପ୍ରବେଶ ରୋକିବାକୁ ଡେମାଗ୍ରାଫି ମିଶନ୍‌- ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି । ଡେମୋଗ୍ରାଫି ବଦଳାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଅନୁପ୍ରବେଶକାରୀମାନେ ଆମ ଯୁବକ ଯୁବତୀଙ୍କୁ ଭ୍ରମିତ କରୁଛନ୍ତି । ଅନୁପ୍ରବେଶ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ହାଇ ପାୱାର ଡେମୋଗ୍ରାଫି ମିଶନ୍‌ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜିଏସ୍‌ଟିରେ ସୁଧାର, ନୂଆ ରୋଜଗାର- ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜିଏସ୍‌ଟିକୁ ନେଇ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏଥରେ ଦୀପାବଳିରେ ଜନତାଙ୍କ ପାଇଁ ଖାସ୍ ଉପହାର ରହିଛି । ନୂଆ ଜିଏସ୍‌ଟି ରିଫର୍ମ ନେଇ ଆସିବୁ । ଜିଏସ୍‌ଟିରେ ସଂସ୍କାର ନୂଆ ରୋଜଗାର ସୃଷ୍ଟି କରିବ । ଜିଏସ୍‌ଟି ଅଧୀନରେ ଅନେକ ପ୍ରକାରର ଟିକସ ସ୍ଲାବ୍ ଅଛି, ଯାହା ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ହୋଇଥାଏ । ନୂଆ ଜିଏସ୍‌ଟି ସଂସ୍କାର ଅଧୀନରେ, ଏହି ସମସ୍ତ ସାମଗ୍ରୀ ଉପରେ ଜିଏସ୍‌ଟି ସମୀକ୍ଷା କରାଯିବ ।

ଲାଲକିଲ୍ଲାରୁ ବଡ଼ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଗରୀବି କଣ ତାହା ମୁଁ ବହିରେ ପଢିନାହିଁ । ତାହା ଜାଣିଛି । ସରକାରରେ ଅଛି ତେଣୁ ମୋର ଚେଷ୍ଟା ରହିଛି କି ସରକାର କେବଳ ଫାଇଲରେ ନୁହେଁ, ସରକାର ଦେଶର ନାଗରିକଙ୍କ ଜୀବନରେ ରହିବା ଦରକାର । ଦଳିତ, ବଞ୍ଚିତ, ପଛୁଆ, ପୀଡ଼ିତ ସେମାନଙ୍କ ପାଇଁ ସକରାତ୍ମକ ରୂପରେ ସରକାର ପ୍ରୋ ଆକ୍ଟିଭ ରହିବା ଦରକାର । ସେହି ଦିଗରେ ନିରନ୍ତର ପ୍ରୟାସ ଚାଲୁଛି । ଆମେ ସରକାରଙ୍କ ଯୋଜନାକୁ ମାଟିରେ ଫଳାଇଛୁ । ହିତାଧିକାରୀଙ୍କ ଘରକୁ ସରକାର ଯାଉଛନ୍ତି । ସେମାନଙ୍କ ହକ୍ ଦେଉଛନ୍ତି ।''

ଲାଲକିଲ୍ଲାରେ ସବୁଠୁ ଲମ୍ବା ସମୟ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୦୩ ମିନିଟ୍‌ ଯାଏ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ।