ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସ ଦଳ ବର୍ତ୍ତମାନ ହୃଦୟଙ୍ଗମ କରୁଛି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟକର ବା ଅସମ୍ଭବ । ପ୍ରତ୍ୟେକ ଅଭିଯାନରେ ସେମାନେ ଲୋକମାନଙ୍କୁ ଏପରି ପ୍ରତିଶ୍ରୁତି ଦିଅନ୍ତି, ଯାହା ସେମାନେ ଜାଣନ୍ତି ଯେ ସେମାନେ କଦାପି ଏହାକୁ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବେ ନାହିଁ । ବର୍ତ୍ତମାନ ସେମାନେ ଜନସାଧାରଣଙ୍କ ସମ୍ମୁଖରେ ନିନ୍ଦିତ ହେବାରେ ଲାଗିଛନ୍ତି।


 


ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି ଯେ, ଆଜି ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ବିକାଶର ଦିଗ ଏବଂ ଆର୍ଥିକ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସେମାନଙ୍କର ନିର୍ବାଚନ ପୂର୍ବର ଗ୍ୟାରେଣ୍ଟି ଗୁଡିକ ଅସମ୍ପୂର୍ଣ୍ଣ ରହିଛି, ଯାହାକି ଏହି ରାଜ୍ୟ ଗୁଡିକର ଲୋକ ମାନଙ୍କ ପ୍ରତି ଏକ ବିଶ୍ୱାସଘାତକତା। ଏଭଳି ରାଜନୀତିର ଶିକାର ହେଉଛନ୍ତି ଗରିବ, ଯୁବକ, କୃଷକ ଏବଂ ମହିଳା, ଯେଉଁମାନେ କେବଳ ପ୍ରତିଶ୍ରୁତିର ଲାଭରୁ ବଞ୍ଚିତ ନୁହଁନ୍ତି, ବରଂ ସେମାନଙ୍କ ପାଇଁ ଚାଲୁଥିବା ଯୋଜନା ଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଯାଉଛି।