ପାଟନା,୩୧।୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ଗାମୁଛା ହଲାଇବାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଆଗକୁ ବିହାର ନିର୍ବାଚନ ଥିବା ବେଳେ​‌ ମୋଦିଙ୍କ ଏହି ଭିଡିଓକୁ ନେଇ ପ୍ରମୁଖ ରାଜନୈତିକ ଆଲୋଚନାର ବିଷୟ ପାଲଟିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ବିହାରର ମୁଜାଫରପୁରରେ ପହଞ୍ଚିବା ପରେ, ସମର୍ଥକଙ୍କ ଏକ ବିଶାଳ ରାଲି ଦେଖିବାକୁ ମିଳିଥିଲା। ରାଲିରେ କେବଳ ‘ମୋଦି ମୋଦି’ ନାରା ଚାରିଆଡେ ଶୁଣିବାକୁ ମିଳିଥିଲା। ଏହି ସମୟରେ ପିଏମ୍ ମୋଦି ତାଙ୍କର ମଧୁବନୀ-ପ୍ରିଣ୍ଟ ଗାମୁଛାକୁ ହାତରେ ହଲାଇଥିଲେ। ୩୦ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ମୁଜଫରପୁର ମୈଦାନରେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇଥିଲେ, ହଜାର ହଜାର ସମର୍ଥକ ତାଙ୍କର ଜୋରଦାର ସ୍ବାଗତ କରିଥିଲେ। ପ୍ରବଳ ଗରମ ଓ ଗୁଳିଗୁଳି ପାଗ ଥିଲେ ବି ଲୋକଙ୍କର ଭିଡ କମ୍ ନଥିଲା। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଦେଖି ହସି ହସି ଗାମୁଛା ହଲାଇଥିଲେ ଓ ଲୋକଙ୍କ ଆଡକୁ ହାତ ଯୋଡି ଅଭିବାଦନ ଜଣାଇଥିଲେ।

ଉଲ୍ଲେଖନୀୟ ଯେ, ସ୍ବାଧୀନତା ଦିବସ ସହିତ ବହୁ ଅବସରରେ ପିଏମ୍ ମୋଦି ନିଜର ପାରମ୍ପାରିକ ପରିଧାନରେ ଗାମୁଛା, ମୁଣ୍ଡରେ ସାଫା ପିନ୍ଧି ଏହା ଜରିଆରେ ଲୋକ ସଂସ୍କୃତି ସହ ଜଡିତ ଥିବା ନେଇ ଦେଖାଇ ସାରିଛନ୍ତି। ମୋଦିଙ୍କ ଏହି ଛୋଟ ଇଶାରା ଏକ ବଡ଼ ରାଜନୈତିକ ବାର୍ତ୍ତା ମଧ୍ୟ ଦେଉଛି। ଗାମୁଛା ଭାରତର ବହୁ ରାଜ୍ୟ, ଯେପରିକି ବିଶେଷ ଭାବରେ ବିହାର ଓ ପଶ୍ଚିମବଙ୍ଗରେ କୃଷକ ଓ ଶ୍ରମିକ ବର୍ଗର ପ୍ରତୀକ ଭାବରେ ମନେକରାଯାଏ। ଏହା ପରିଶ୍ରମୀ ଲୋକଙ୍କ ପରିଚୟ, ଯେଉଁମାନେ କ୍ଷେତରେ କାମ କରନ୍ତି କିମ୍ବା ପ୍ରବଳ ଖରାରେ ଝାଳ ବୁହାଇ ପରିଶ୍ରମ କରନ୍ତି। ଗାମୁଛର ଉପଯୋଗ ଝାଳ ପୋଛିବା କିମ୍ବା ମୁଣ୍ଡରେ ବାନ୍ଧିବା କିମ୍ବା ଖରାରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଏ। ପିଏମ୍ ମୋଦି ଗାମୁଛା ହଲାଇବାର ଅର୍ଥ ସେ ସାଧାରଣ ଜନତା, କୃଷକ ଓ ଶ୍ରମିକଙ୍କ ସହ ଅଛନ୍ତି। କାରଣ ବିହାରର ୫୩.୨ ପ୍ରତିଶତ ଲୋକ  କୃଷି ଉପରେ ନିର୍ଭର କରନ୍ତି। ରାଜ୍ୟରେ ଭୂମିହୀନ ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ଖୁବ୍ ଅଧିକ ରହିଛି।