ନୂଆଦିଲ୍ଲୀ, ୨୦/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସଫଳ ରାଜନେତା ସହିତ ଚମତ୍କାର ଫ୍ୟାଶନ୍‌ ସେନ୍ସ ପାଇଁ ମଧ୍ୟ ବେଶ ପରିଚିତ । ରାଜନୈତିକ, ସାମାଜିକ କିମ୍ବା ଅନ୍ୟ ଯେକୌଣସି କାର୍ଯ୍ୟକ୍ରମରେ ସେ ଯୋଗ ଦିଅନ୍ତି, ତାଙ୍କୁ ଉକ୍ତ ସ୍ଥାନର ପାରମ୍ପlରିକ ବେଶଭୂଷାରେ ଦେଖିବାକୁ ମିଳେ । ଏଥିରୁ ତାଙ୍କ କ୍ଷେତ୍ରୀୟ ଫ୍ୟାଶନ୍‌ ଷ୍ଟାଇଲ୍‌ ସ୍ପଷ୍ଟ ବାରିହୁଏ । ତାଙ୍କ ଷ୍ଟାଇଲ୍‌ରେ ଭାରତୀୟତାର ସ୍ପର୍ଶ ଭରି ରହିଥାଏ । ତାଙ୍କ ହାତରେ ବନ୍ଧା ଏକ ଘଡ଼ି ଏହାର ସଦ୍ୟ ଉଦାହରଣ ।

ଏହି ସ୍ୱତନ୍ତ୍ର ଘଡ଼ିର ମୂଲ୍ୟ ପ୍ରାୟ ୫୫ ହଜାରରୁ ୬୦ ହଜାର । ଘଡ଼ିର ଡାଏଲ୍‌ରେ ୧୯୪୭ ମସିହାର ୧ ଟଙ୍କିଆ ମୁଦ୍ରା ଖଚିତ ହୋଇଛି । ଜୟପୁର ୱାଚ୍‌ କମ୍ପାନି ଦ୍ୱାରା ପ୍ରସ୍ତୁତ ୪୩ ଏମ୍‌ଏମ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଘଡ଼ି ଜାପାନୀ ମିୟୋଟା ମୁଭ୍‌ମେଣ୍ଟ ଦ୍ୱାରା ସଂଚାଳିତ, ଯାହାର ନାଁ ‘ରୋମାନ ବାଗ୍‌’ । ଏଥିରେ ଏକ ଚଳନ୍ତା ବାଘର ଛବି ରହିଛି, ଯାହା ସ୍ୱାଧୀନତା ଅଭିମୁଖେ ଭାରତର ଯାତ୍ରାର ପ୍ରତୀକ । ଦେଶର ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସ ସହିତ ମଧ୍ୟ ଏହା ଜଡ଼ିତ । ଘଡ଼ିରେ ଜଡ଼ିତ ୧ ଟଙ୍କାର ମୁଦ୍ରାର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ରିଟିଶ ଶାସନ ଅଧୀନରେ ପ୍ରଚଳିତ ଏହା ଶେଷ ମୁଦ୍ରା ଥିଲା । ଘଡ଼ିର ବିବରଣୀ ଅନୁସାରେ, ଏହା କେବଳ ୧୯୪୬ (ଦ୍ୱିତୀୟାର୍ଦ୍ଧ) ଓ ୧୯୪୭ରେ ପ୍ରଚଳିତ ଥିଲା । ଘଡ଼ିଟି ସୁନେଲି, ସିଲ୍‌ଭର କେସ୍‌ରେ ରୋମାନ ଓ ଦେବନାଗରୀ ସଂଖ୍ୟା ସହିତ ୪ଟି ପ୍ରକାରରେ ଉପଲବ୍ଧ ହେଉଛି । ଏହା ଭିତରେ ପ୍ରତିବିମ୍ବରୋଧୀ ପରସ୍ତଯୁକ୍ତ ନୀଲମ ସ୍ଫଟିକ ରହିଛି ଏବଂ ପଛଭାଗ ସ୍ୱଚ୍ଛ । ଏଇଟି ଜଳ-ପ୍ରତିରୋଧୀ । ହାର୍ପର୍ସ ବାଜାର ଇଣ୍ଡିଆ ଅନୁସାରେ, ଗତ ସେପ୍ଟେମ୍ବର ଓ ନଭେମ୍ବର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୋଦିଙ୍କ ହାତରେ ଏହି ଘଡ଼ି ଦେଖିବାକୁ ମିଳିଛି ।