ଭୁବନେଶ୍ୱର,୧୭/୦୫: ସରକାର  ସହର ଓ ଗାଁକୁ ଯିବେ । ଲୋକଙ୍କ ପାଖରେ  ପହଞ୍ଚିବେ । ବର୍ଷକ ମଧ୍ୟରେ ଦେଇଥିବା  ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାର  ରିପୋର୍ଟ କାର୍ଡ ରଖିବେ । ଜୁନ୍‌ ୧୨ରେ  ରାଜ୍ୟ ବିଜେପି ସରକାରକୁ ବର୍ଷେ ପୂରୁଥିଲା ବେଳେ ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଉତ୍ସବ  ପାଳନ କରିବେ । ଏ ଉତ୍ସବରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି । ଏ ସୂଚନା  ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  

ରାଜ୍ୟ ସରକାର ଜୁନ୍‌ ୧୨ରୁ ସପ୍ତାହେ ବ୍ୟାପୀ  ‘ଉତ୍ତରଦାୟୀ କାର୍ଯ୍ୟକ୍ରମ’ ପାଳନ କରିବେ । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତରରେ ଜନକଲ୍ୟାଣ ପାଇଁ ସରକାର କଣ କରିଛନ୍ତି ତାହା  ଲୋକଙ୍କୁ ଜଣାଇବେ । ପ୍ରତି ପୌରସଂସ୍ଥାରେ  ମଧ୍ୟ ଏ ବର୍ଷ ପୂର୍ତ୍ତି ଉତ୍ସବର ଆୟୋଜନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି । 

ରାଜ୍ୟର ବିଜେପି ସରକାରକୁ ଆଉ ୩  ସପ୍ତାହ ପରେ ବର୍ଷ ପୂରିବ । ସରକାରଙ୍କର ଏହି  ବର୍ଷ ପୂର୍ତ୍ତିକୁ ଧୂମ୍‌ଧାମରେ ପାଳନ କରିବାକୁ ଆପାତତଃ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏଥିପାଇଁ ଏକରକମ ପ୍ରସ୍ତୁତି ମଧ୍ୟ ଜୋର  ଧରିଲାଣି । ବଡ଼ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟସରକାର ଓ ବିଜେପି ସଂଗଠନ । ପ୍ରତି  ବିଭାଗ ନିଜ କାମରେ କେତେ ଦକ୍ଷତା ପ୍ରଦର୍ଶନ  କରିଛି ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ ଚାଲିଛି । ମନ୍ତ୍ରୀମାନଙ୍କ ଦକ୍ଷତାର ସମୀକ୍ଷା କରିବେ  ମୁଖ୍ୟମନ୍ତ୍ରୀ ।ସରକାରଙ୍କ ସଫଳତା ଓ ଉପଲବ୍ଧିକୁ  ନେଇ ରାଜ୍ୟବାସୀଙ୍କ ନିକଟକୁ ଯିବେ ମନ୍ତ୍ରୀ । ଜୁନ୍‌  ୧୨ରୁ ୧୯ ଯାଏଁ ଚାଲିବ କାର୍ଯ୍ୟକ୍ରମ । ସରକାରଙ୍କ  ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ଯଦି ସବୁକିଛି ଠିକଠାକ୍‌ ହୁଏ ତେବେ ସରକାର  ରାଜ୍ୟସ୍ତରୀୟ ଭବ୍ୟ ସମାରୋହର ଆୟୋଜନ କରିବେ । ଶପଥ ଗ୍ରହଣ ଉତ୍ସବ ଭଳି  ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ  ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ  ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର  ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର  ଅନ୍ୟ ସଦସ୍ୟ ମଧ୍ୟ ଏ ଉତ୍ସବରେ ଯୋଗ ଦେବା  ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । 

ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀପଦ ଖାଲି  ପଡ଼ିଛି । ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ କିଛି  ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହୋଇପାରେ ବୋଲି  ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀ ପଦ  ପାଇଁ ଆଶାୟୀମାନେ ନିଜ ଲବିକୁ ଜୋରଦାର କରିଛନ୍ତି । ବର୍ଷକ ମଧ୍ୟରେ ୧୧ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ।  ଆଗାମୀ ବର୍ଷକ ମଧ୍ୟରେ ଆଉ ୧୦ଟି ନିର୍ବାଚନ ପ୍ରତିଶ୍ରୁତି  ପୂରଣ କରାଯିବ । ଏପରିକି ଆଗକୁ ସରକାର ଆଉ କ’ଣ  କାର୍ଯ୍ୟକ୍ରମ ହାତକୁ ନେବେ ସେ ପରାମର୍ଶ ମଧ୍ୟ ଆମେ  ଲୋକଙ୍କଠାରୁ ନେବୁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ । 

ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ  ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ  ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି ।  ଏ କମିଟି ସମସ୍ତ ସରକାରୀ ବିଭାଗଗୁଡ଼ିକର ପ୍ରଥମ ବର୍ଷର  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସଫଳତାକୁ ସଂକଳନ କରି ନଥି  ପ୍ରସ୍ତୁତ କରିବ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ  କରାଯିବ । ସେହିପରି ବଜେଟରେ ଘୋଷଣା ହୋଇଥିବା ନୂଆ ଯୋଜନାଗୁଡ଼ିକର ଏକ ତାଲିକା ଅର୍ଥ ବିଭାଗ ପ୍ରସ୍ତୁତ କରି ସମ୍ପୃକ୍ତ ବିଭାଗଗୁଡ଼ିକ ପଠାଇବେ ଯାହାକୁ ଆଗାମୀ ୬ମାସ  ମଧ୍ୟରେ ବିଭାଗଗୁଡ଼ିକ ଅନୁମୋଦନ କରାଇବେ । ରାଜ୍ୟର  ସମସ୍ତ ୧୧୫ ପୌରସଂସ୍ଥା, ଆରଟିଓ ଓ ବନ୍ଦର କ୍ଷେତ୍ରରେ  ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମସ୍ତ ବିଭାଗ  ଲୋକଙ୍କ ସହ ସରକାରଙ୍କୁ ଯୋଡ଼ିବାକୁ ବହୁବିଧ କାର୍ଯ୍ୟକ୍ରମ  ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେପି ପକ୍ଷରୁ  ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର ହୋଇଛି ।