ନୂଆଦିଲ୍ଲୀ ୦୯/୦୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ପରିପ୍ରେକ୍ଷୀରେ ଦୁଇଦେଶ ମଧ୍ୟରେ ୧୧ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୫ଟି ବଡ଼ ଘୋଷଣା ବି କରାଯାଇଛି । ଦୁଇଦେଶର ପ୍ରତିନିଧି ସ୍ତରୀୟ ବୈଠକରେ ୧୧ ଚୁକ୍ତି ପାଇଁ ଦସ୍ତାବିଜ ଆଦାନପ୍ରଦାନ ହୋଇଛି । ଅଡିଓ-ଭିଜୁଆଲ ସହ- ନିର୍ମାଣ ନେଇ ଚୁକ୍ତି ହୋଇଛି । ଏହାଦ୍ୱାରା ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ମିଳିବ । ଫଳରେ ସାଂସ୍କୃତିକ ବିନିମୟ ବଢ଼ିବ । ବିପର୍ଯ୍ୟୟ ପରିଚାଳନା ପାଇଁ ସମନ୍ୱୟ ବଢ଼ାଇବା ପାଇଁ ଚୁକ୍ତି ହୋଇଛି। ଦୁର୍ନୀତି ନିରୋଧୀ ପଦକ୍ଷେପରେ ସମନ୍ୱୟ ବଢ଼ାଇବା ଲାଗି ଏମ୍ଓୟୁ ହୋଇଛି । ଏଥିରେ ସୂଚନା ଆଦାନ ପ୍ରଦାନ ହୋଇପାରିବ । ଜାତିସଂଘ ଶାନ୍ତି ବୁଝାମଣାକୁ ବଳିଷ୍ଠ କରିବା ନେଇ ସହମତି ହୋଇଛି । ସେମିକଣ୍ଡକ୍ଟର କ୍ଷେତ୍ରରେ ସମନ୍ୱୟ ବଢ଼ାଇବା ଲାଗି ଏକ ଢାଞ୍ଚା ପ୍ରସ୍ତୁତ ପାଇଁ ଚୁକ୍ତି ହୋଇଛି । ଭାରତର ଆଇବିସିଏ କାର୍ଯ୍ୟକ୍ରମରେ ମାଲେସିଆ ସାମିଲ ହୋଇଛି । ଏହାଦ୍ୱାରା ବନ୍ୟଜୀବ ସଂରକ୍ଷଣକୁ ନୂଆ ବଳ ମିଳିବ । ମାଲେସିଆରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ପାଇଁ ସାମାଜିକ ନିରାପତ୍ତା ସୁବିଧା ଏବଂ ସମନ୍ୱୟକୁ ଆଗକୁ ବଢ଼ାଇବା ଲାଗି ଏମ୍ଓୟୁ ହୋଇଛି ।

ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପାଇଁ ଚୁକ୍ତି ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ତାଲିମକୁ ଏହା ପ୍ରୋତ୍ସାହିତ କରିବ । ଜାତୀୟ ସୁରକ୍ଷା ପରିଷଦ ମଧ୍ୟରେ ନିରାପତ୍ତା ସମନ୍ୱୟ ଲାଗି ସହମତି ହୋଇଛି । ସ୍ୱାସ୍ଥ୍ୟସେବା, ଚିକିତ୍ସା ଗବେଷଣା ଓ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ସମନ୍ୱୟକୁ ନିବିଡ଼ କରିବା ସକାଶେ ଚୁକ୍ତି ହୋଇଛି । ଦଶମ ମିଳିତ ମାଲେସିଆ-ଭାରତ ସିଇଓ ଫୋରମ୍ ରିପୋର୍ଟ ଦୁଇଦେଶର ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ମଜଭୁତ କରିବା ଲାଗି ଆବଶ୍ୟକ ସୁପାରିସ ବାବଦରେ ଦର୍ଶାଯାଇଛି ।

ଆହୁରି ପଢ଼ନ୍ତୁ :- ଆମରଣ ଅନଶନ ପଡ଼ିଲା ମହଙ୍ଗା, କାଳ କୋଠରୀକୁ ଗଲେ ନୋବେଲ ବିଜୟିନୀ

୫ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା ବି କରାଯାଇଛି । ପ୍ରଥମତଃ ମାଲେସିଆରେ ଭାରତୀୟ କନସୁଲେଟ ଜେନେରାଲ ସ୍ଥାପନ ନେଇ ଘୋଷଣା ହୋଇଛି । ୟୁନିଭର୍ସିସିଟି ମାଲୟଠାରେ ଏକ ଉତ୍ସର୍ଗୀକ୍ୟତ ଥିରୁଭଲୁଭର ସେଣ୍ଟର ସୃଷ୍ଟି ହେବ । ମାଲେସୀୟ ନାଗରିକଙ୍କ ସକାଶେ ଇନ୍ଷ୍ଟିଚ୍ୟୁସ ଅଫ୍ ଥିରୁଭଲୁଭର ମେଧାବୃତ୍ତି ଘୋଷଣା ହୋଇଛି । ଏନ୍ପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ (ଏନ୍ଆଇପିଏଲ୍) ଏବଂ ମାଲେସିଆର ପେ’ନେଟ୍ ମଧ୍ୟରେ ସୀମାପାର ପେମେଣ୍ଟ ପାଇଁ ଚୁକ୍ତିନାମା ଘୋଷଣା ହୋଇଛି । ୟୁନିଭର୍ସିଟି ଅଫ୍ ସାଇବରଜୟା ଏବଂ ଭାରତର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନ୍ ଆୟୁର୍ବେଦ ମଧ୍ୟ ଏମ୍ଓୟୁ ଘୋଷଣା ହୋଇଛି । ମୋଦି ଓ ଇବ୍ରାହିମଙ୍କ ଉପସ୍ଥିତିରେ ଏମ୍ଓୟୁ ଆଦାନପ୍ରଦାନ ହୋଇଛି । ଏହି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ମୋଦି କହିଛନ୍ତି, ଆଜି ଆମର ସହଯୋଗ କୃଷି ଓ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଚ୍ଛ ଶକ୍ତି ଏବଂ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମଜଭୁତ ହୋଇଛି । ଦକ୍ଷତା ବିକାଶ ଓ କ୍ଷମତା ନିର୍ମାଣରେ ମଧ୍ୟ ଆମେ ମହତ୍ତ୍ୱପୂର୍ଣ୍ଣ ଭାଗୀଦାର । ଆମର ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଲଗାତର ସୁଦୃଢ଼ ହେବାରେ ଲାଗିଛି ।