ଦୁବାଇ,୦୯/୦୨: ଆମରଣ ଅନଶନ କରିବାରୁ ଇରାନ ନୋବେଲ ଶାନ୍ତି ବିଜୟିନୀ ନର୍ଗିସ ମହମ୍ମଦିଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛି । ନର୍ଗିସଙ୍କ ଓକିଲ ମୁସ୍ତଫା ନିଲି ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ନର୍ଗିସଙ୍କୁ ମାଶହା ସହରର ରିଭୋଲ୍ୟୁସନାରୀ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ନର୍ଗିସଙ୍କୁ ସମ୍ମିଳିତ ହେବା ଓ ଅସାଧୁ ମେଣ୍ଟ କରିବା ଅଭିଯୋଗରେ ୬ ବର୍ଷ ଏବଂ ଅପପ୍ରଚାର ଲାଗି ୧ ବର୍ଷ ୬ମାସ ଜେଲଦଣ୍ଡ ହୋଇଛି । ଏଥିସହ ତାଙ୍କ ଉପରେ ୨ ବର୍ଷ ପାଇଁ ଯାତ୍ରାକାଳୀନ ବାସନ୍ଦ ଲଗାଯାଇଛି । ତେବେ ଇରାନ ପକ୍ଷରୁ ଏହି ଦଣ୍ଡାଦେଶ ସମ୍ପର୍କରେ କିଛି କୁହାଯାଇନାହିଁ । ଜେଲ୍‌ରେ ଗତ ଫେବ୍ରୁଆରୀ ୨ ତାରିଖରୁ ନର୍ଗିସ ଅନଶନ ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ :- ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ବୃହତ୍ ବିଜୟ; ପାର୍ କଲେ ବହୁମତ, ଶୁଭେଚ୍ଛା ଜଣାଇଲେ ମୋଦି

୨୦୨୩ରେ ନର୍ଗିସଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । ଇରାନରେ ବାଧ୍ୟତାମୂଳକ ହିଜାବ ଆଇନ ଓ ମୃତ୍ୟୁଦଣ୍ଡକୁ ବିରୋଧ କରି ଆନ୍ଦୋଳନ କରିବା ଅଭିଯୋଗରେ ତାଙ୍କୁ ୨୦୨୧ରେ ଗିରଫ କରାଯାଇଥିଲା । ଏହି ଘଟଣାରେ ତାଙ୍କୁ ୧୩ ବର୍ଷ ଜେଲ୍ ଦଣ୍ଡ ମିଳିଥିଲା । ତେବେ ଅସୁସ୍ଥ କାରଣରୁ ୨୦୨୪ ଡିସେମ୍ବରରେ ତାଙ୍କୁ ଜେଲ୍ରୁ କିଛିଦିନ ପାଇଁ ଜାମିନରେ ଛଡାଯାଇଥିଲା । ପରେ ପୁଣି ଗତବର୍ଷ ଡିସେମ୍ବରରେ ପୁଣି ଆନ୍ଦୋଳନ କରିବାରୁ ଗିରଫ କରାଯାଇଥିଲା । ସେବେଠାରୁ ଜେଲ୍ରେ ଅଛନ୍ତି । ପୂର୍ବରୁ ସେ ମଧ୍ୟ ଅନେକ ଥର ଗିରଫ ହୋଇଥିଲେ ।

ଆହୁରି ପଢ଼ନ୍ତୁ :- ପାକିସ୍ତାନରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କର ନୋ ଏଣ୍ଟ୍ରି , ଜାଣନ୍ତୁ କେଉଁ କଥାକୁ ନେଇ ବଢିଲା ମାମଲା