ନୂଆଦିଲ୍ଲୀ, ୧୧।୭: ଇଣ୍ଡୋ-ପ୍ୟାସିଫିକ୍ ବା ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢ଼ୁଥିବା ଦାଦାଗିରି ଏବଂ ସାମରିକ ଆଧିପତ୍ୟକୁ ରୋକିବା ପାଇଁ ଭାରତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି । ନିଜର ୩ ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି । ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲ୍ୟାଣ୍ଡ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ପ୍ରୋଟୋକଲ୍ ଭାଙ୍ଗି ନିଜେ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ଗଭର୍ଣ୍ଣମେଣ୍ଟ ହାଉସରେ ପିଏମ ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।
'ରୋଡମ୍ୟାପ୍ ୨୦୩୦' ଏବଂ ୧୦ଟି MoU ସ୍ୱାକ୍ଷର
ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ପର୍କକୁ 'ଷ୍ଟ୍ରାଟେଜିକ ପାର୍ଟନରସିପ୍' ର ମାନ୍ୟତା ଦେଇଛନ୍ତି । ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ୧୦ଟି ଗୁରୁତ୍ଵପୂର୍ଣ୍ଣ MoU ସ୍ୱାକ୍ଷରିତ ହୋଇଛି ଏବଂ ୮ଟି ବଡ଼ ଘୋଷଣା କରାଯାଇଛି । ଏହାସହ 'ରୋଡମ୍ୟାପ୍ ୨୦୩୦' ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି, ଯାହା ଆଗାମୀ ବର୍ଷଗୁଡ଼ିକରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଦ୍ୱିଗୁଣିତ କରି ୭ ବିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାରକୁ ନେବା ପାଇଁ ଲକ୍ଷ୍ୟ ରଖାଯାଇଛି । ନ୍ୟୁଜିଲ୍ୟାଣ୍ଡ ସାମରିକ ଦୃଷ୍ଟିରୁ ବିଶ୍ୱର ଏକ ବଡ଼ ଶକ୍ତି ନହେଲେ ମଧ୍ୟ ଏହାର ଭୌଗଳିକ ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ । ପ୍ରମୁଖ ସାମୁଦ୍ରିକ ବ୍ୟାପାର ମାର୍ଗଗୁଡ଼ିକର ନଜର ରଖିବାରେ ଏହି ଦେଶର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ଭାରତ ସହ ଏହାର ସହଭାଗିତା ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ।
ଏହା ବି ପଢ଼ନ୍ତୁ... Nuclear VS Hormuz: ଚିନ୍ତା ବଢ଼ାଇଲା ଇରାନ ‘ରଣନୀତି’, ପରମାଣୁ ନୁହେଁ, ହୋର୍ମୁଜ ବଡ଼ ଅସ୍ତ୍ର କରି ଖେଳାଉଛି ଆତଙ୍କ
ଗତ କିଛି ବର୍ଷ ହେବ ଚୀନ ଦକ୍ଷିଣ ଚୀନ ସାଗର ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରି ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଉଛି । ଭାରତ ପୂର୍ବରୁ ହିଁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହ ମିଶି QUAD ର ସଦସ୍ୟ ରହିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ସହ ଭାରତର ବଢ଼ୁଥିବା ପ୍ରତିରକ୍ଷା ଓ ସାମୁଦ୍ରିକ ସହଯୋଗ ଚୀନ ପାଇଁ ଏକ ବଡ଼ ରଣନୀତିକ ଚ୍ୟାଲେଞ୍ଜ ପାଲଟିବ । ଯଦିଓ ଏହି ଚୁକ୍ତିନାମାରେ ଚୀନର ନାମ ନିଆଯାଇନାହିଁ, କିନ୍ତୁ ଇସାରା ସ୍ପଷ୍ଟ ରହିଛି । ଭାରତ କୌଣସି 'ଆଣ୍ଟି-ଚାଇନା' ଗୋଷ୍ଠୀରେ ସିଧାସଳଖ ସାମିଲ ନହୋଇ, ସମାନ ଚିନ୍ତାଧାରା ରଖୁଥିବା ଦେଶଗୁଡ଼ିକ ସହ ନିଜର ରଣନୀତିକ ସମ୍ପର୍କ ବଢ଼ାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ଆର୍ଥିକ ହିତ ଏବଂ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ।
ଭାରତକୁ କେଉଁ ସବୁ ଫାଇଦା ମିଳିବ ?
ଭାରତର 'ଆକ୍ଟ ଇଷ୍ଟ' ଏବଂ 'ଇଣ୍ଡୋ-ପ୍ୟାସିଫିକ୍' ନୀତି ଅଧୀନରେ ଏହି ବୁଝାମଣା ଦ୍ୱାରା ଭାରତକୁ ବେଶ୍ ଲାଭ ମିଳିବ ।
ସାମୁଦ୍ରିକ ସୁରକ୍ଷା: ଦୁଇ ଦେଶର ନୌସେନା ମଧ୍ୟରେ ସମନ୍ୱୟ ଏବଂ ମିଳିତ ସମରାଭ୍ୟାସ ବୃଦ୍ଧି ପାଇବ ।
ବ୍ୟାପାର ସୁରକ୍ଷା: ସାମୁଦ୍ରିକ ବାଣିଜ୍ୟ ପଥଗୁଡ଼ିକ ଅଧିକ ସୁରକ୍ଷିତ ହେବ ।
ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଗୁପ୍ତଚର ସୂଚନା ଆଦାନପ୍ରଦାନ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।
ଆଞ୍ଚଳିକ ପ୍ରଭାବ: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ଭାରତର କୂଟନୀତିକ ପ୍ରଭାବ ଆହୁରି ମଜଭୁତ ହେବ ।