ନୂଆଦିଲ୍ଲୀ,୨୭/୦୭: ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ର ୧୨୪ତମ ସଂସ୍କରଣରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ମହାକାଶରେ ଶୁଭାଂଶୁ ଶୁକ୍ଳାଙ୍କ ସଫଳତାକୁ ନେଇ ମନ୍‌ କି ବାତରେ କହିଛନ୍ତି । ଏହା ସହିତ ଓଡ଼ିଶାର ମୟୂରଭଞ୍ଜର ସାନ୍ତାଳୀ ଶାଢୀ ଓ କେନ୍ଦୁଝରର 'ରାଧା କୃଷ୍ଣ ସଂକୀର୍ତ୍ତନ' ସଫଳତା ବିଷୟରେ କହିଛନ୍ତି । କ୍ରୀଡ଼ା, ବିଜ୍ଞାନ ଓ ସଂସ୍କୃତିରେ ଭାରତ ହାସଲ କରଥିବା ସଫଳତା ବିଷୟରେ ବଖାଣିଛନ୍ତି ।

୧୨୪ତମ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "୧୯୦୫ ଅଗଷ୍ଟ ୭ ତାରିଖରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଥିଲା । ସ୍ୱଦେଶୀ ଆନ୍ଦୋଳନ ସ୍ଥାନୀୟ ଉତ୍ପାଦ, ବିଶେଷକରି ହସ୍ତତନ୍ତରେ ନୂତନ ଶକ୍ତି ସଞ୍ଚାର କରିଥିଲା । ଏହି ସ୍ମୃତିରେ, ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିଥାଏ । ବୟନ ଶିଳ୍ପ ଦେଶର ଏକ ଶକ୍ତି ପାଲଟିଛି । ମହାରାଷ୍ଟ୍ରର ପାଇଥାନ ଗାଁର କବିତା ଧାୱାଲେ ପୂର୍ବରୁ ଏକ ଛୋଟ କୋଠରୀରେ କାମ କରୁଥିଲେ। ଯେଉଁଠି କିଛି ସୁବିଧା ନଥିଲା । ପରବତ୍ତୀ ସମୟରେ ସରକାରଙ୍କ ସହାୟତାରେ, ସେ ନିଜେ ପାଇଥାନି ଶାଢ଼ି ବୁଣିବା ସହିତ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି । ସେହିପରି ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସମାନ କାହାଣୀ ଅଛି । ଜିଲ୍ଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନରୁଦ୍ଧାର କରୁଛନ୍ତି । ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢ଼ିକୁ ନୂଆ ଜୀବନ ଦେଇଛନ୍ତି ।''

କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଓଡ଼ିଶାର କେନ୍ଦୁଝରରେ କିଛି ଉଲ୍ଲେଖନୀୟ କାର୍ଯ୍ୟ ହେଉଛି । 'ରାଧା କୃଷ୍ଣ ସଂକୀର୍ତ୍ତନ' ନାମକ ଏକ ମଣ୍ଡଳୀ ଅଛି । ଭକ୍ତି ସହିତ, ଏହି ଗୋଷ୍ଠୀ ପରିବେଶ ସୁରକ୍ଷାକୁ ସଚେତନତା ମନ୍ତ୍ର ଦେଉଛନ୍ତି । ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଛନ୍ତି । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ ସନ୍ଦେଶ ଯୋଡ଼ି ସଚେତନ କରନ୍ତି । ବନ୍ନାଗ୍ନି ଦ୍ବାରା କଣ କ୍ଷତି ହୁଏ ଲୋକଙ୍କୁ ସଚେତନ କରନ୍ତି । ଏହି ପଦକ୍ଷେପ ପଛରେ ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ''

ଏପିଜେ ଅବଦୁଲ କଲାମଙ୍କୁ ମନେ ପକାଇଲେ- ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ପୂର୍ଣ୍ଣତିଥିରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।  ଅବଦୁଲ କଲାମ ଜଣେ ପ୍ରେରଣାଦାୟୀ ଦୂରଦର୍ଶୀ ଥିଲେ ବୋଲି କହିଛନ୍ତି ମୋଦି ।

ଶୁଭାଂଶୁଙ୍କ ସଫଳତା ପାଇଁ ଗର୍ବିତ- ମନ୍‌ କି ବାତ୍‌ରେ ଶୁଭାଂଶୁ ଶୁକ୍ଳାଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ''ଆମେ ପୁଣି ଥରେ ଦେଶର ସଫଳତା ବିଷୟରେ କଥା ହେବୁ । ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବା ବିଷୟରେ ଦେଶରେ ବହୁତ ଆଲୋଚନା ହୋଇଥିଲା । ଶୁଭାଂଶୁ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିବା ମାତ୍ରେ ଦେଶବାସୀ ଖୁସିରେ ଝୁମିଥିଲେ । ସମସ୍ତଙ୍କ ହୃଦୟରେ ଖୁସିର ଲହରୀ ଖେଳିଗଲା । ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଥିଲା ।