ନୂଆଦିଲ୍ଲୀ,୦୧/୧୨; ଆଜିଠୁ ଆରମ୍ଭ ହୋଇଛି ସଂସଦ ଶୀତକାଳୀନ ଅଧିବେଶନ । ଆସନ୍ତା ୧୯ ତାରିଖ ଯାଏ ଚାଲିବ ସେସନ୍ । ପ୍ରଥମ ଦିନରେ ରାଜ୍ୟ ସଭାରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ନୂଆ ରାଜ୍ୟସଭା ଅଧ୍ୟକ୍ଷ ତଥା ସିପି ରାଧାକ୍ରିଷ୍ଣଙ୍କୁ ସ୍ୱାଗତ କରିଛନ୍ତି । ସିପି ରାଧାକ୍ରିଷ୍ଣଙ୍କୁ ସ୍ୱାଗତ କରିବା ଗର୍ବର ମୂହୁର୍ତ୍ତ । ଗୃହରେ ତାଙ୍କର ଅମୂଲ୍ୟ ମାର୍ଗଦର୍ଶନ ଦେଶକୁ ପ୍ରଗତି ପଥରେ ନେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଏହା ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ପ୍ରଥମ ଅଧିବେଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ସିପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରି ଭାଷଣ ଆରମ୍ଭ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ କିପରି ନିରାମିଷଭୋଜି ହୋଇଗଲେ ଏବଂ ଏକ ବୋମା ବିସ୍ଫୋରଣରୁ କିପରି ଅଳ୍ପକେ ବର୍ତିଥିଲେ ସେ ବାବଦରେ କହିଛନ୍ତି । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟସଭା ଅଧ୍ୟକ୍ଷ ଏକ ସାଧାରଣ ପରିବାରରୁ ଆସିଛନ୍ତି । ଜଣେ କୃଷକ ପରିବାରରୁ ଆସିଛନ୍ତି। ସେ ତାଙ୍କର ସମଗ୍ର ଜୀବନ ସମାଜ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ରାଜନୀତି ଏହାର ଏକ ଦିଗ । ସେ ସମାଜ ପ୍ରତି ସମର୍ପଣର ସହିତ କାମ କରିଛନ୍ତି । ଆମ ସମସ୍ତଙ୍କ ପାଇଁ ଏହା ଏକ ପ୍ରେରଣା। ଏହି ପଦବୀରେ ତାଙ୍କର ଉତ୍ଥାନ ଭାରତରେ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ଶକ୍ତି । ବହୁତ ଦିନ ଧରି ତାଙ୍କୁ ଜାଣିବା ମୋର ସୌଭାଗ୍ୟ । ଏକାଠି କାମ କରିବାର ସୁଯୋଗ ମିଳିଛି । କିନ୍ତୁ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲି ତାଙ୍କୁ ବିଭିନ୍ନ ଦାୟିତ୍ୱ ସହ କାମ କରୁଥିବାର ଦେଖିଲି, ସେତେବେଳେ ସକାରାତ୍ମକ ଭାବନା ଆସିବା ସ୍ୱାଭାବିକ ଥିଲା। "
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ସିପି ରାଧାକ୍ରିଷ୍ଣନଙ୍କୁ ମୁଁ ଜଣେ କର୍ମୀ ଭାବରେ, ଜଣେ ସହକର୍ମୀ ଭାବରେ, ଜଣେ ସାଂସଦ ଭାବରେ ଦେଖିଛି, କିନ୍ତୁ ମୁଁ ଗୋଟିଏ କଥା ଅନୁଭବ କରିଛି । ତାଙ୍କର ପ୍ରୋଟୋକଲ ସହିତ କୌଣସି ସମ୍ପର୍କ ନାହିଁ । ଏହା ଆମ ପାଇଁ ଗର୍ବର ବିଷୟ । ତୁମେ ସବୁବେଳେ ଅସହାୟଙ୍କ ପ୍ରତି ଯତ୍ନବାନ ହୋଇଛ । ଉପରାଷ୍ଟ୍ରପତି ହେବା ପରେ, ସିପି ରାଧାକ୍ରିଷ୍ଣନ ବାରାଣସୀ ଗସ୍ତ କରିଥିଲେ। ସେଠାରେ ଏପରି କିଛି କଥା କହିଥିଲେ ଯାହା ମୋ ପାଇଁ ନୂଆ ଥିଲା । ଆପଣ ସେଠାରେ କହିଥିଲେ ଯେ, ଆପଣ ଆମିଷ ଖାଦ୍ୟରେ ଅଭ୍ୟସ୍ତ । କିନ୍ତୁ ଯେତେବେଳେ ଆପଣ ପ୍ରଥମ ଥର ପାଇଁ କାଶୀ ଗସ୍ତ କରିଥିଲେ, ଆପଣଙ୍କ ଭିତରେ ଏକ ସଂକଳ୍ପ ଜାଗ୍ରତ ହୋଇଥିଲା, ଏବଂ ଆପଣ ଘୋଷଣା କରିଥିଲେ ଯେ ଆପଣ ଆଉ ଆମିଷ ଖାଦ୍ୟ ଖାଇବେ ନାହିଁ । ଏହି ଚିନ୍ତାଧାରା କାଶୀ ଭୂମିରେ ଆପଣଙ୍କ ମନରେ ଆସିଥିଲା, ଯାହା ମୁଁ ଜଣେ ସାଂସଦ ଭାବରେ ମନେ ରଖିଛି ।''
'ବିସ୍ଫୋରଣରୁ ଅଳ୍ପକେ ବଞ୍ଚିଗଲେ ଉପରାଷ୍ଟ୍ରପତି'- ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଏକ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଲକୃଷ୍ଣ ଆଡଭାନୀଙ୍କର କୋଏମ୍ବାଟୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ସେଠାରେ ଏକ ବିସ୍ଫୋରଣ ଘଟିଥିଲା । ସେଥିରୁ ସିପି ରାଧାକ୍ରିଷ୍ଣନ ଅଳ୍ପକେ ରକ୍ଷା ପାଇଗଲେ । ଆପଣଙ୍କ ଉପରେ ଦିବ୍ୟ ଶକ୍ତି ଅଛି ।