ନୂଆଦିଲ୍ଲୀ,୧୨/୦୭: ଶନିବାର ଦେଶର  ୪୭ ସ୍ଥାନରେ ୧୬ ତମ ରୋଜଗାର ମେଳା ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ପୂର୍ବାହ୍ନ ୧୧ଟାରେ ଆଭାସୀ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ  ଏବଂ ପ୍ରତିଷ୍ଠାନଗୁଡ଼ିକର ୫୧ ହଜାର  ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ  କରିବେ । ଏ ଅବସରରେ ସେ  ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ ।  

ରୋଜଗାର ସୃଜନକୁ ପ୍ରାଥମିକତା ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବାରେ  ନିଯୁକ୍ତି ମେଳା ଏକ ପଦକ୍ଷେପ ।  ଏହା ଯୁବବର୍ଗଙ୍କୁ ସଶକ୍ତ ଏବଂ ରାଷ୍ଟ୍ର  ଗଠନରେ ସେମାନଙ୍କ ଭାଗିଦାରୀକୁ  ସାର୍ଥକ ଅବସର ପ୍ରଦାନ କରିବାରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଦ୍ୟାବଧି ରୋଜଗାର ମେଳା  ମାଧ୍ୟମରେ ସାରା ଦେଶରେ ୧୦ ଲକ୍ଷରୁ  ଊଦ୍ଧ୍ୱର୍ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି ।  

ଦେଶବ୍ୟାପୀ ଚୟନ ହୋଇଥିବା  ଏହି ନୂତନ କର୍ମଚାରୀମାନେ ରେଳ  ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକ  ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ,  ରୋଜଗାର ମନ୍ତ୍ରଣାଳୟ ସହ ବିଭିନ୍ନ  ମନ୍ତ୍ରଣାଳୟରେ ଯୋଗ ଦେବେ ।  ଭୁବନେଶ୍ୱର ନିଯୁକ୍ତି ମେଳାରେ କେନ୍ଦ୍ର  ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ  ଦେବାର କାର୍ଯ୍ୟକ୍ରମ ରହିଛି ।