ନୂଆଦିଲ୍ଲୀ,୦୬/୦୮: ବୁଧବାର ‘ସେଣ୍ଟ୍ରାଲ ଭିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାର ନାମ ରହିଛି କର୍ତ୍ତବ୍ୟ ଭବନ । ଏହି ବିଲ୍ଡିଂ ଭାରତର ଅନ୍ୟତମ ପାଓ୍ୱାର କରିଡର ଭାବେ ଉଭା ହେବାକୁ ଯାଉଛି । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ ଭଳି ରହିବ ଅନେକ ସରକାରୀ କାର୍ଯ୍ୟାଳୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ଅର୍ଥାତ୍ ଆଜି ଅପରାହ୍ନ ୧୨.୧୫ରେ ଏହି ନୂଆ ଭବନର ଉଦଘାଟନ କରିବେ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ଭବନର ନିର୍ମାଣ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ଶେଷ ହୋଇଛି । ଏହା ଅଧୀନରେ ଭାରତର ପାୱାର କରିଡର ନିର୍ମାଣ କରାଯାଉଛି । ଏଥିରେ ଏକ ନୂତନ ସଂସଦ ଭବନ, ଏକ କେନ୍ଦ୍ରୀୟ ସଚିବାଳୟ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ତିନି କିଲୋମିଟର ଲମ୍ବ କର୍ତ୍ତବ୍ୟ ପଥ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ୨୦୨୬ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି । ବର୍ତ୍ତମାନ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ଅନେକ ନୂତନ କୋଠା ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ଗୋଟିଏ ହେଉଛି 'କର୍ତ୍ତବ୍ୟ ଭବନ'। ଏଥିରେ ଗୃହ ମନ୍ତ୍ରଣାଳୟ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ରହିବ। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନୂତନ କୋଠା ଏବଂ ରାସ୍ତା ନିର୍ମାଣ କରାଯାଉଛି । କର୍ତ୍ତବ୍ୟ ପଥକୁ ମଧ୍ୟ ଏକ ନୂତନ ରୂପ ଦିଆଯାଉଛି, ଯାହା ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଲମ୍ବିଛି । ରାଷ୍ଟ୍ରପତି ଭବନ ନିକଟରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପ୍ରିନ୍ସେସ୍ ପାର୍କ ଅଞ୍ଚଳ ଏହି ପ୍ରକଳ୍ପ ଅଧୀନରେ ଆସେ । ରାଷ୍ଟ୍ରପତି ଭବନ, ସଂସଦ, ନର୍ଥ ବ୍ଲକ୍, ସାଉଥ୍ ବ୍ଲକ୍, ଉପରାଷ୍ଟ୍ରପତିଙ୍କ ଘର ସେଣ୍ଟ୍ରାଲ୍ ଭିଷ୍ଟା ଅଧୀନରେ ଆସେ । ସେହିପରି ଏହା ବ୍ୟତୀତ, ଜାତୀୟ ସଂଗ୍ରହାଳୟ, ଜାତୀୟ ଅଭିଲେଖାଗାର, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର , ଉଦ୍ୟୋଗ ଭବନ, ବିକାନେର ହାଉସ୍, ହାଇଦ୍ରାବାଦ ହାଉସ୍, ନିର୍ମାଣ ଭବନ ଏବଂ ଜବାହର ଭବନ ମଧ୍ୟ ସେଣ୍ଟ୍ରାଲ୍ ଭିଷ୍ଟାର ଅଂଶ।