ନୂଆଦିଲ୍ଲୀ,୦୩/୦୭; ଭାରତ ଏବଂ ନ୍ୟୁଜିଲାଣ୍ଡ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ଐତିହାସିକ ଫ୍ରି ଟ୍ରେଡ୍ ଚୁକ୍ତି (FTA) ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ । ଏହା ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଧିକାରୀ ସ୍ଥରରେ ଯାତ୍ରା ହେବ । ଆସନ୍ତା ଜୁଲାଇ ୧୦ରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ । ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରୀଷ୍ଟୋଫର ଲକ୍ସନ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ତାଙ୍କର ପ୍ରଥମ ସରକାରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ । ଲକ୍ସନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ। ଏହାଦ୍ବାରା ନ୍ୟୁଜିଲାଣ୍ଡରେ ଅଧିକ ନିଯୁକ୍ତି, ଅଧିକ ରପ୍ତାନୀ ଓ ଅଧିକ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି । ଜୁଲାଇ ୧୦ରେ ଆକଲାଣ୍ଡରେ ପହଞ୍ଚିବେ । ଏହା ପରଦିନ ଭାରତ ଫେରିବେ । ଲକ୍ସନ ଏହି ମୋଦିଙ୍କ ଯାତ୍ରାକୁ ଦୁଇ ଦେଶ ସମ୍ପର୍କ ପାଇଁ 'ଐତିହାସିକ' ବୋଲି କହିଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ଚଳିତବର୍ଷ ଏପ୍ରିଲ ୨୭ରେ ନୂଆଦିଲ୍ଲୀରେ ଐତିହାସିକ ଫ୍ରି ଟ୍ରେଡ୍ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଏଫଟିଏରେ ନ୍ୟୁଜିଲାଣ୍ଡ ଏବଂ ଭାରତ ଉତ୍ପାଦକୁ ନିଜ ବଜାରରେ ୧୦୦ ପ୍ରତିଶତ ଶୁଳ୍କମୁକ୍ତ ଭାବରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି । ଏହା ଭାରତୀୟ ଶିଳ୍ପ ଯେପରିକି ବୟନଶିଳ୍ପ, ଚମଡ଼ା, ଇଞ୍ଜିନିୟରିଂ ସମଗ୍ରୀ ଏବଂ ଅଳଙ୍କାରକୁ ଯଥେଷ୍ଟ ଲାଭ ଦେବ ବୋଲି ଆଶାକରାଯାଉଛି ।

ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା - ଭାରତ ନ୍ୟୁଜିଲ୍ୟାଣ୍ଡର ପ୍ରାୟ ୭୦% ଉତ୍ପାଦ ଉପରେ ଶୁଳ୍କ ହ୍ରାସ କିମ୍ବା ପର୍ଯ୍ୟାୟକ୍ରମେ ସମାପ୍ତ କରିବାକୁ ରାଜି ହୋଇଛି। ତଥାପି, ଘରୋଇ ଚାଷୀ ଏବଂ ଦୁଗ୍ଧ ଶିଳ୍ପର ସ୍ୱାର୍ଥ ରକ୍ଷା ପାଇଁ ଭାରତ ଏହି ଚୁକ୍ତିନାମାକୁ ଦୁଗ୍ଧ ଏବଂ କିଛି ସମ୍ବେଦନଶୀଳ କୃଷି ଉତ୍ପାଦକୁ ବାଦ ଦେଇଛି । ଚୁକ୍ତିନାମାର ଏକ ପ୍ରମୁଖ ଅଂଶ ନିବେଶ ଏବଂ ନିଯୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ । ଆଗମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶକୁ ପ୍ରୋତ୍ସାହିକ କରିବାକୁ ନ୍ୟୁଜିଲାଣ୍ଡ ପ୍ରତିଶ୍ରୁତିବଦ୍ଧ । ଭାରତୀୟ ଆଇଟି ବୃତ୍ତିଗତ, ଇଞ୍ଜିନିୟର, ସ୍ୱାସ୍ଥ୍ୟସେବା କର୍ମୀ, ଯୋଗ ପ୍ରଶିକ୍ଷକ ଏବଂ ସଙ୍ଗୀତ ଶିକ୍ଷକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭିସା ବ୍ୟବସ୍ଥା କରାଯାଇଛି । ଏହି ଚୁକ୍ତିନାମା ଦ୍ୱାରା ଭାରତୀୟ ଛାତ୍ରମାନେ ମଧ୍ୟ ଯଥେଷ୍ଟ ଲାଭ ପାଇବେ । ଛାତ୍ର ସଂଖ୍ୟା ସୀମା ହଟାଇ ଦିଆଯାଇଛି । ସେମାନଙ୍କୁ ପାଠପଢ଼ା ସମୟରେ କାମ କରିବାର ଅନୁମତି ଦିଆଯାଇଛି । ପାଠପଢା ପରେ ୩ରୁ ୪ ବର୍ଷ କାର୍ଯ୍ୟ ପାଇଁ ଭିସା ଉପଲବ୍ଧ ହେବ ।

ଏହା ବି ପଢନ୍ତୁ...India- Japan Defence Deal: ଖୋଜି ଖୋଜି ପାଇବେନି ଚୀନ-ପାକିସ୍ତାନ; ସମୁଦ୍ର ମଝିରେ ଗାଏବ ହେବ ଭାରତ ଯୁଦ୍ଧଜାହାଜ, ଜାପାନ ସହ ହୋଇଗଲା 'ନିଞ୍ଜା' ଡିଲ୍  

ମେ' ରେ ୫ଟି ଦେଶ ଗସ୍ତ କରିଥିଲେ ମୋଦି- ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୧୫ ରୁ ୨୦ ମଇ ପର୍ଯ୍ୟନ୍ତ ପାଞ୍ଚଟି ଦେଶ - ୟୁଏଇ, ନେଦରଲ୍ୟାଣ୍ଡ, ଇଟାଲୀ, ସ୍ୱିଡେନ ଏବଂ ନରୱେ ଗସ୍ତ କରିଥିଲେ । ଏହି ଗସ୍ତରେ ସବୁଜ ପରିବର୍ତ୍ତନ, ଉନ୍ନତ ଉତ୍ପାଦ, ରଣନୈତିକ ନିବେଶ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳା ସୃଦୁଢ କରିବା ଏବଂ ଏଆଇ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ କେନ୍ଦ୍ରିତ ଥିଲା ।