ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା କ୍ରିକେଟ ବିଶ୍ବକପ୍‌ ବିଜୟୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦୀ । ମହିଳା କ୍ରିକେଟ ବିଶ୍ୱକପର ୫୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଟ୍ରଫି ଜିତିଛି ଭାରତୀୟ ଦଳ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।  ଲଗାତାର ତିନୋଟି ପରାଜୟ ଏବଂ ସୋସିଆଲ ମିଡିଆ ଟ୍ରୋଲିଂର ସମ୍ମୁଖୀନ ହେବା ପରେ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନକୁ ସେ ପ୍ରଶଂସା କରିଛନ୍ତି ।

 

ହରମନପ୍ରୀତ କୌର ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତକୁ ମନେ ପକାଇଛନ୍ତି । ସେତେବେଳେ ସେ ଟ୍ରଫି ବିନା ମୋଦୀଙ୍କୁ ଭେଟିଥିଲେ । ଆଜି ଟ୍ରଫି ସହିତ ପିଏମଙ୍କୁ ସାକ୍ଷାତ କରିଛନ୍ତି । ସେ ମୋଦୀଙ୍କୁ ଅଧିକ ଥର ଟ୍ରଫି ସହ ଭେଟିବାକୁ ଚାହାଁନ୍ତି ବୋଲି କହିଛନ୍ତି ହରମନପ୍ରୀତ ।

 

ଦିଲ୍ଲୀ ପହଞ୍ଚିବା ପରେ ମହିଳା କ୍ରିକେଟ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳି ଏବଂ ପ୍ରଶିକ୍ଷକ କେକ୍ କାଟି ବିଜୟର ଉତ୍ସବ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦଳକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତୀୟ କ୍ରିକେଟର ଏହି ଐତିହାସିକ ମୁହୂର୍ତ୍ତକୁ ଦେଶର ଝିଅମାନଙ୍କ ଶକ୍ତି ଓ ସ୍ୱପ୍ନର ବିଜୟ ବୋଲି ବର୍ଣ୍ଣନା କରିଥିଲେ। ମହିଳା ଦିନିକିଆ ବିଶ୍ୱକପର ୫୨ ବର୍ଷର ଇତିହାସରେ ଭାରତ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି। ଏହା ପୂର୍ବରୁ, ଦଳ ୨୦୦୫ ଏବଂ ୨୦୧୭ ରେ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଟ୍ରଫି ଜିତି ପାରିନଥିଲା ।