ନୂଆଦିଲ୍ଲୀ,୯।୧୦: ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇସ୍ରାଏଲ ଏବଂ ହମାସ। ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ଶାନ୍ତି ପ୍ରତିଷ୍ଠା ନେଇ ସହମତ ହୋଇଛନ୍ତି। ଏ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୁଁ ଗର୍ବିତ ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି।
ଶାନ୍ତି ପ୍ରତିଷ୍ଠା ନେଇ ସହମତି ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ ଏବଂ ଇସ୍ରାଏଲୀ ସେନା ନିର୍ଦ୍ଧାରିତ ସୀମାକୁ ପ୍ରତ୍ୟାହାର କରିବ। ଗାଜା ପିସ ପ୍ଲାନକୁ ସମର୍ଥନ ଦ୍ବାରା ପାଲେଷ୍ଟାଇନକୁ ଶାନ୍ତି ଫେରିବ । ହମାସ ଏବଂ ଇସ୍ରାଏଲ ମଧ୍ୟରେ ଇଜିପ୍ଟରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବ । ଟ୍ରମ୍ପଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ୍ସରେ ପୋଷ୍ଟ କରି ସେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହା ସହ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ପ୍ରଶଂସା କରିଛନ୍ତି।
ପିଏମ୍ ମୋଦି ଲେଖିଛନ୍ତି ,ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଚୁକ୍ତିକୁ ସ୍ୱାଗତ କରୁଛୁ। ଏହା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ନେତୃତ୍ୱର ମଧ୍ୟ ପ୍ରତିଫଳନ। ଆମେ ଆଶା କରୁଛୁ ଯେ ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକଙ୍କୁ ମାନବିକ ସହାୟତା ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିବ। ତା ସହ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ।’