ଭୁବନେଶ୍ୱର,୨୧/୧୦: ଜଟଣୀ ଠାରେ  ପ୍ରସ୍ତାବିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌  ଯୋଗ ଆଣ୍ଡ ନେଚରପାଥି (ସିଆରଆଇୱାଇଏନ୍‌)ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ଆସନ୍ତା ୨୯ ତାରିଖରେ ଭିଡିଓ କନଫରେନ୍ସି ଜରିଆରେ ଶିଳାନ୍ୟାସ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ ଅବସରରେ ସେ  ଏହାକୁ ଶିଳାନ୍ୟାସ କରିବା ନେଇ ସୂଚନା ମିଳିଛି ।   




୨୦୧୪ ଜୁନ୍‌ରେ ଜଟଣୀ ତହସିଲ ଅନ୍ତର୍ଗତ  ବିଞ୍ଝାରଗିରିଠାରେ ପୂର୍ବ ରାଜ୍ୟ ସରକାର ସେଣ୍ଟ୍ରାଲ  ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଯୋଗ ଆଣ୍ଡ ନେଚରପାଥି  ପ୍ରତିଷ୍ଠା କରିବାକୁ ଆୟୁଷ ମନ୍ତ୍ରଣାଳୟକୁ ଜମି ଦେବାକୁ  ଚୁକ୍ତି ହୋଇଥିଲା । ଏଥିପାଇଁ ୯୪ କୋଟି ଟଙ୍କା  ଅନୁମୋଦନ ବି ହେଲା । ମୋଟ ୨୦ ଏକର ଜମିରେ  ଏହା ଠିଆ ହୋଇଥାନ୍ତା । ହେଲେ ଏହି କାର୍ଯ୍ୟ  ଆଗେଇପାରିଲା ନାହିଁ । ପୂର୍ବ ସରକାର ପରବର୍ତ୍ତୀ ମୁହୂର୍ତ୍ତରେ ଜମି ଦେଲେନାହିଁ । ତେଣୁ ଏହି ପ୍ରତିଷ୍ଠାନ  କାମ ଆଗେଇ ପାରିଲା ନାହିଁ ।   ଏନେଇ ସାଂସଦ ଅପରାଜିତା ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ  ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତିଙ୍କୁ ଚିଠି  ଲେଖି ଅବଗତ କରାଇଥିଲେ । ତାଙ୍କ ହସ୍ତକ୍ଷେପ  ପରେ ଏହା ଆଗେଇବାକୁ ଯାଉଛି ।