ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ରାତି ୮ଟାରେ ଦେଶକୁ ସମ୍ବୋଧିତ କରିବେ । ‘ଅପରେସନ୍ ସିନ୍ଦୂର’ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଅଭିଭାଷଣ ହେବ। ପହଲଗାମ୍ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କିନ୍ତୁ ସାର୍ବଜନୀନ ଭାବରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । 

ସେ ସେନା ମୁଖ୍ୟ, ସିଡିଏସ୍, ଏନଏସଏଙ୍କଠାରୁ  ଅପରେସନ୍ ବିଷୟରେ ସମୀକ୍ଷା କରୁଥିଲେ। ଚାରି ଦିନର ଉତ୍ତେଜନା ପରେ ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ସେବେଠାରୁ ସୀମାରେ ଉତ୍ତେଜନା ହ୍ରାସ ପାଇଛି । ଆତଙ୍କବାଦୀଙ୍କ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ, ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା କିନ୍ତୁ ଏହି ସଂଘର୍ଷ ବନ୍ଦ ହୋଇଛି । ଏହି ଯୁଦ୍ଧବିରତି ଜାରି ରହିବ କି ନାହିଁ ତାହା ପାକିସ୍ତାନୀ ସେନାର କାର୍ଯ୍ୟକଳାପ ଏବଂ ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ଉପରେ ନିର୍ଭର କରେ ।



ଅସ୍ତ୍ରବିରତି ପରେ ଆଜି ତିନି ସେନାର ଡିଜିଏମଓ ଅପରେସନ ସିନ୍ଦୂର ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ତିନି ସେନା ପକ୍ଷରୁ କୁହାଯାଇଛି ଯେ, ଅସ୍ତ୍ରବିରତି ହୋଇଛି କିନ୍ତୁ ଭାରତୀୟ ସେନା ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ରବିବାର ମଧ୍ୟ ଡିଜିଏମଓଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଅସ୍ତ୍ରବିରତି ଘୋଷଣା କରାଯାଇଛି କିନ୍ତୁ ଉତ୍ତେଜନା ହ୍ରାସ ପାଇନାହିଁ। ସେନା କହିଛି ଯେ, ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି। ଭାରତୀୟ ସେନାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯଦି ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଏ, ତେବେ ସେନାର ପ୍ରତିଶୋଧ ନେବାର ପୂର୍ଣ୍ଣ ଅଧିକାର ରହିଛି ।