ଭୁବନେଶ୍ୱର, ୨୬/୦୫ : ଓଡ଼ିଶାରେ ଚାଷ ହେଉଥିବା ‘ଗୋବିନ୍ଦଭୋଗ’ ଚାଉଳକୁ ନେଇ ଏବେ ବିଶ୍ୱସ୍ତରରେ ଚର୍ଚ୍ଚା । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଯାଇ ୫ଟି ଦେଶର ସର୍ବୋଚ୍ଚ ନେତାମାନଙ୍କୁ ଭେଟିଥିଲେ । ଏହି ଭେଟ ବେଳେ ପ୍ରଧାନମନ୍ତ୍ରୀ ରୋମରେ FAO ନିର୍ଦ୍ଦେଶକ-ଜେନେରାଲ କ୍ୱି ଡୋଙ୍ଗ୍ୟୁଙ୍କୁ ୧୦ ପ୍ରକାରର ଭାରତୀୟ ଖାଦ୍ୟ ଉପହାର ଦେଇଥିଲେ । ଯେଉଁଥିରେ ଓଡ଼ିଶାରେ ଚାଷ ହେଉଥିବା ‘ଗୋବିନ୍ଦ ଭୋଗ’ ଚାଉଳ ଥିଲା ବୋଲି ଜଣାପଡ଼ିଛି । ଏହି ଗୋବିନ୍ଦଭୋଗ ଏକ କିସମର ଧାନ ଅଟେ । ଯାହା ମୁଖ୍ୟତଃ କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଚାଷ ହୁଏ । ଏହା ଏକ ପାରମ୍ପରିକ ଦେଶୀ ଧାନ ହୋଇଥିବା ବେଳେ ଏହା ଉପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଗବେଷଣା କରିଛି । ସବୁଠୁ ବଡ଼ କଥା, ଗୋବିନ୍ଦଭୋଗ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟବହାର ହେଉଛି।
ଓୟୁଏଟିର ପୂର୍ବତନ ପ୍ରଫେସର ଡ. ସତ୍ୟରଞ୍ଜନ ଦାସଙ୍କ କହିବା କଥା, ଗୋବିନ୍ଦଭୋଗ ଧାନ ୧୩୫-୧୪୦ଦିନ ଭିତରେ ଅମଳ ହୁଏ । ଏହା ବିଶେଷ ଭାବରେ ଖରିଫ୍ ଋତୁରେ ଚାଷ ହୁଏ । ଏହା ଏକ ଉଚ୍ଚ ଗଛ । ଚାଉଳର ସ୍ୱାଦ ବି ବହୁତ ଭଲ । ଧ୍ୟାନ ରଖିବାର କଥା ହେଲା, ଗୋବିନ୍ଦ ଭୋଗ ଚାଉଳ ଅମଳ ପରେ ପରେ ରୋଷେଇ କଲେ ତାହା ଲାଗିଯାଏ । ସେଥିପାଇଁ ଲୋକେ ତାକୁ କ୍ଷୀରି କିମ୍ବା ଖେଚୁଡ଼ିରେ ବ୍ୟବହାର କରିଥାନ୍ତି । ଯଦି ୨ରୁ ୩ମାସ ସାଇତିକି ରଖି ପରେ ରୋଷେଇ କରାଯାଏ, ତେବେ ଭାତ ଭଲ ହୁଏ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ବଜାରରେ ଓଡ଼ିଶାରୁ ଉତ୍ପାଦିତ ଗୋବିନ୍ଦଭୋଗ ଚାଉଳ ବିକ୍ରି ହେଉଛି । ସପିଂମଲ୍ରେ ରାୟପୁର ଓ କୋଲକାତାରୁ ଆସୁଥିବା ଗୋବିନ୍ଦଭୋଗ ଚାଉଳ ବିକ୍ରି କରାଯାଉଛି ।
ଏହି ଖବରଟିକୁ ପଢନ୍ତୁ- PM-CM Meeting: ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ, ଓଡ଼ିଶା ଆସିବାକୁ ମୋଦିଙ୍କୁ ନିମନ୍ତ୍ରଣ