ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ,ଏବେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଅଲଗେମେଇନ୍ସ ଜିତୁଙ୍ଗ (F.A.Z.) ଏକ ବଡ଼ ଦାବି କରିଛି। F.A.Z. କହିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାରିଥର ଫୋନ୍ କରିଥିଲେ, ହେଲେ ସେ କୌଣସି ଉତ୍ତର ଦେଇ ନଥିଲେ। ରିପୋର୍ଟ ଅନୁଯାୟୀ,ଟ୍ରମ୍ପଙ୍କ ଧମକ, ଚାପ ଏବଂ ରୁଷରୁ ତେଲ କିଣିବା ଏବଂ ଶୁଳ୍କ ବିବାଦ ଉପରେ ଅଭିଯୋଗ ଭାରତକୁ ପ୍ରଭାବିତ କରିପାରୁନାହିଁ । ଯେତେବେଳେ କି, ଏହି ରଣନୀତି ଅନ୍ୟ ଅନେକ ଦେଶ ଉପରେ ସମ୍ପୂର୍ଣ୍ଣ ଭାବରେ କାମ କରିଛି।
F.A.Z. ଦାବି କରିଛି ଯେ, ଯଦି ଜର୍ମାନ ଭାଷା ରିପୋର୍ଟର ମେସିନ୍ ଅନୁବାଦ ସଠିକ୍,ତେବେ ଟ୍ରମ୍ପ ଗତ କିଛି ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାରୋଟି ଫୋନ୍ କଲ୍ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଉତ୍ତର ଦେବାକୁ ମନା କରିଦେଇଥିଲେ। ତଥାପି, ରିପୋର୍ଟରେ କେବେ କେବେ କଲ୍ କରାଯାଇଥିଲା ତାହାର ସଠିକ୍ ତାରିଖ ଉଲ୍ଲେଖ ନାହିଁ। ଏହି ସମୟରେ, ଭାରତୀୟ ଅଧିକାରୀ ମାନେ ଏପର୍ଯ୍ୟନ୍ତ ଏହି କଲ ଗୁଡ଼ିକ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ମୋଦି ଆମେରିକାର କୃଷି ବ୍ୟବସାୟ ପାଇଁ ଭାରତର ବଜାର ଖୋଲିବା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ବିରୋଧ କରୁଛନ୍ତି। ରିପୋର୍ଟରେ ରୁଷୀୟ ତେଲ କିଣିବା ଜାରି ରଖିବାର ଭାରତର ଆଭିମୁଖ୍ୟକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଟ୍ରମ୍ପ ଦାବି କରିଛନ୍ତି ଯେ, ଏହା 'ପୁଟିନଙ୍କ ଯୁଦ୍ଧ ମେସିନ'କୁ ପାଣ୍ଠି ଯୋଗାଇ ଦେଉଛି। ଏହା ରୁଷର ୟୁକ୍ରେନ ଆକ୍ରମଣକୁ ବୁଝାଏ।
ଯଦି ପରିସ୍ଥିତି ପରିବର୍ତ୍ତନ ନହୁଏ, ତେବେ ଭାରତକୁ ଆମେରିକାକୁ ରପ୍ତାନି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିପାରେ। ବାଣିଜ୍ୟ ଅସନ୍ତୁଳନ ଯୋଗୁଁ ୨୫ ପ୍ରତିଶତ ଏବଂ ରୁଷରୁ ତେଲ କିଣିବା ଯୋଗୁଁ ୨୫ ପ୍ରତିଶତ ।