ନୂଆଦିଲ୍ଲୀ: ନିଜ ଆକାଶସୀମାରେ ଲଢ଼ୁଆ ବିମାନ ମୁତୟନ କଲା ପୋଲାଣ୍ଡ । ରୁଷୀୟ ଡ୍ରୋନ୍‌ ଦେଶ ଭିତରେ ପ୍ରବେଶ କରିବା ପରେ ସଜାଗ ପୋଲାଣ୍ଡ ହୋଇଯାଇଛି । ରୁଷୀୟ ଆକ୍ରମଣ ଭୟରେ ପୂର୍ବ ସହର ଲୁବଲିନରେ ଥିବା ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି । ଏନେଇ ଶନିବାର ଦେଶର ଶୀର୍ଷ ଅଧିକାରୀ ସୂଚନା ଦେଇଛନ୍ତି ଏହା ପୂର୍ବରୁ ବୁଧବାର ଅନେକ ରୁଷୀୟ ଡ୍ରୋନ୍ ପୋଲାଣ୍ଡରେ ପ୍ରବେଶ କରିବା ପରେ ନାଟୋ ରାଷ୍ଟ୍ର ତତ୍ପରତା ପ୍ରକାଶ କରିଛି । ନାଟୋ ପକ୍ଷରୁ ସମ୍ଭାବ୍ୟ ରୁଷ ଆକ୍ରମଣକୁ ପ୍ରତିହତ କରିବା ଲାଗି ଲଢ଼ୁଆ ବିମାନ ପଠାଯାଇଛି

ପୋଲାଣ୍ଡର ଏହି ସମରସଜା ୩ ବର୍ଷ ଧରି ଜାରି ରହିଥିବା ୟୁକ୍ରେନ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ ବୋଲି ଆଶାଙ୍କା ବୃଦ୍ଧି ପାଇଛି । ପୋଲାଣ୍ଡ ସେନା କହିଛି ଯେ, ବାୟୁ ପ୍ରତିରକ୍ଷା ଏବଂ ଯାଞ୍ଚ ପ୍ରଣାଳୀ ହାଇଆଲର୍ଟରେ ରହିଛି । ପୋଲାଣ୍ଡର ଆକାଶପଥ ସୁରକ୍ଷିତ ରଖିବାକୁ ଏବଂ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏକ୍ସ ରେ ମଧ୍ୟ ଲେଖିଛନ୍ତି ଯେ, ରୁଷ ଦ୍ୱାରା ୟୁକ୍ରେନ ନିକଟବର୍ତ୍ତୀ ଅଞ୍ଚଳରୁ ଡ୍ରୋନ କାର୍ଯ୍ୟକଳାପ ଯୋଗୁଁ ପୋଲାଣ୍ଡ ଆକାଶପଥରେ ଯୁଦ୍ଧ ବିମାନ ମୁତୟନ କରାଯାଉଛି ।

ସାମରିକ ବିମାନ ଚଳାଚଳ କାର୍ଯ୍ୟକଳାପ ଯୋଗୁଁ ଲୁବଲିନ୍ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିମାନବନ୍ଦର ମୁଖପାତ୍ର ପିଓଟର ୟାନୋଭସ୍କି କହିଛନ୍ତି ଯେ, ଆକାଶ ମାର୍ଗ ବନ୍ଦ ରହିବ ।  କିନ୍ତୁ କେତେ ସମୟ ପାଇଁ ଏହାକୁ ବନ୍ଦ ରଖାଯିବ ତାହା ସେ କହି ନାହାନ୍ତି। ସେପଟେ ରୁଷ ପକ୍ଷରୁ କୁହାଯାଇଛି ଯେ,  ପୋଲାଣ୍ଡକୁ ଟାର୍ଗେଟ କରାଯାଇ ନାହିଁ ଏହାର ସହଯୋଗୀ ବେଲାରୁଷ ଦାବି କରିଛି ଯେ, ଡ୍ରୋନଗୁଡ଼ିକ ଜାମ୍ ହୋଇଥିବାରୁ ପଥଭ୍ରଷ୍ଟ ହୋଇଛି । କିନ୍ତୁ ୟୁରୋପୀୟ ନେତାମାନେ ଜୋର ଦେଇ କହିଛନ୍ତି ଯେ, ରୁଷ ଜାଣିଶୁଣି ଡ୍ରୋନ୍‌ ମାଡ଼ କରିଛି ।