ସୋନିପତ: ହରିୟାଣାର ସୋନିପତ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଯବାନ କ୍ରିଷନ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଜୁଲାଇ ୨୮ ତାରିଖ ରାତିରେ ଖେରୀ ଅଞ୍ଚଳର ଦମକାନ ଗାଁରେ ଘଟିଥିଲା। ପୋଲିସ ଅନୁସାରେ, ଏହି ହତ୍ୟା ଜୁଲାଇ ୨୨ ତାରିଖରେ ହରିଦ୍ୱାରରେ କାଉଡ଼ି ଯାତ୍ରା ସମୟରେ କ୍ରିଷନଙ୍କ ସହ ଗାଁର କିଛି ଯୁବକଙ୍କ ସହ ହୋଇଥିବା ଝଗଡ଼ା ସହ ଜଡ଼ିତ। ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, କିନ୍ତୁ ମୁଖ୍ୟ ଅଭିଯୁକ୍ତ ନିଶାନ୍ତ ଓ ଅଜୟ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି।
ସୂଚନା ଅନୁସାରେ ସେନାରେ କାର୍ଯ୍ୟ କରୁଥିବା କ୍ରିଷନ କୁମାର ଛତିଶଗଡ଼ରେ ନିୟୋଜିତ ଥିଲେ। ତେବେ ସେ ଗତ ଜୁଲାଇ ୧୬ ତାରିଖରେ ଏକ ମାସର ଛୁଟି ନେଇ ଘରକୁ ଫେରିଥିଲେ। ତାଙ୍କ ପତ୍ନୀ ଜୁଲାଇ ୨୫ ତାରିଖରେ ଖାନପୁର କଲାନର ଭଗତ ଫୁଲ ସିଂହ ମେଡିକାଲ କଲେଜରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ରବିବାର ରାତିରେ ଗାଁର କିଛି ବ୍ୟକ୍ତି ତାଙ୍କୁ ଘର ବାହାରକୁ ଡାକି ଗୁଳି କରିଥିଲେ। ଗୁଳିର ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସିଥିଲେ ଏବଂ କ୍ରିଷନଙ୍କୁ ରକ୍ତାକ୍ତ ଅବସ୍ଥାରେ ଘର ବାହାରେ ପଡିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ମୁତାବକ, କ୍ରିଷନ ଚଳିତ ବର୍ଷ କାଉଡ଼ିଆ ଯାତ୍ରାରେ ହରିଦ୍ୱାର ପାଣି ଢାଳିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗାଁରୁ ଯାଇଥିବା କିଛି ଯୁବକଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡର ଦଉଇ ମୁଖ୍ୟ ଅଭିଯୁକ୍ତଙ୍କ ନାମ ନିଶାନ୍ତ ଓ ଅଜୟ ବୋଲି ଜଣାପଡିଛି। କାଉଡି ଯାତ୍ରା କରିବା ପୂର୍ବରୁ ଅଭିଯୁକ୍ତ ଅଜୟ ନିଜ ପାଖରେ ଥିବା ଏକ ଚୋରା ବନ୍ଧୁକକୁ ତା ସାଙ୍ଗ ମୋହିତକୁ ଦେଇଥିଲା।
ତେବେ କାଉଡି ଯାତ୍ରାରେ ହୋଇଥିବା ବିବାଦ ପରେ ଉଭୟ ଅଜୟ ଓ ନିଶାନ୍ତ, କ୍ରିଷନଙ୍କୁ ରାସ୍ତାରୁ ହଟାଇବେ ବୋଲି ଯୋଜନା କରିଥିଲେ। ସେମାନେ ତାଙ୍କ ସାଙ୍ଗ ସାଗର ନିକଟରୁ କାର ଆଣି କ୍ରିଷନଙ୍କ ଗାଁକୁ ଆସିଥିଲେ। ଏହାପରେ କ୍ରିଷନଙ୍କୁ ଘରୁ ବାହାରକୁ ଡାକି ଗୁଳି ଫୁଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଏହି ଘଟଣାରେ ପରୋକ୍ଷ ଭାବେ ଜଡିତ ଥିବା କାରଣରୁ ସାଗର, ମୋହିତ ଓ ପ୍ରବିଣ ନାମକ ତିନିଜଣହ୍କୁ ଗିରଫ କରିଛି।
ଗୋହାନା ଏସିପି ରିଶିକାନ୍ତଙ୍କ ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାଉଡ଼ି ଯାତ୍ରା ସମୟରେ ହୋଇଥିବା ଝଗଡ଼ା ଏହି ହତ୍ୟାର ମୁଖ୍ୟ କାରଣ। ପୋଲିସ ସୂଚନା ଅନୁସାରେ, ଏହି ବିବାଦ ପୂର୍ବ ପରିକଳ୍ପିତ ଥିଲା ଏବଂ ଅଭିଯୁକ୍ତମାନେ କ୍ରିଷନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। କୃଷଣଙ୍କ ପିତା ବଲୱାନ ସିଂହଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଏଫଆଇଆର ରୁଜୁ କରିଥିଲା। ତେବେ ଏହି ଘଟଣା ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଥିବା ଜଣାପଡିଛି।
କ୍ରିଷନଙ୍କ ପରିବାରରେ ତାଙ୍କ ପତ୍ନୀ, ଜଣେ ୬ ବର୍ଷର ପୁତ୍ର ଏବଂ ଜଣେ ନବଜାତ ଶିଶୁ ରହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ କାଉଡି ଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ନେଇ ପ୍ରଶ୍ନ ଉଠାଇଛି।