ପୁରୀ, ୨୯/୦୭ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି। ଚଷମାରେ ହିଡେନ୍ କ୍ୟାମେରା ଖଞ୍ଜି ଶ୍ରୀମନ୍ଦିର ଭିତରେ ବୁଲୁଥିଲେ ଯୁବକ। ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ଧରିଲା ପୁଲିସ। ସିଂହଦ୍ଵାର ଥାନାରେ ଯୁବକ ଅଟକ।
ସୂଚନାନୁଯାୟୀ, ସୋମବାର ପୁରୀ ଗଜପତି ନଗରର ଜଣେ ଯୁବକ ଚଷମାରେ ହିଡେନ୍ କ୍ୟାମେରା ଖଞ୍ଜି ଶ୍ରୀମନ୍ଦିର ଭିତରେ ପଶିଥିଲେ। ଚଷମାରେ ଫଟୋ କ୍ୟାପର କରୁଥିଲେ। ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ଯୁବକଙ୍କୁ ଏବେ ସିଂହଦ୍ଵାର ଥାନାକୁ ଅଣାଯାଇଛି। କେଉଁ ଭିଡିଓ ରେକର୍ଡିଂ ହୋଇଛି ତାହାର ଅନୁଧ୍ୟାନ କରାଯାଉଛି।
ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଫଟୋ ଏକ୍ସରେ ପୋଷ୍ଟ କରି ଡିଲିଟ୍ କରିଥିଲା। ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି ଲେଖିଥିଲା। ଏହି ଘଟଣାର ଦିନକ ପରେ ପୁଣି ଜଣେ ଯୁବକ ହିଡେନ୍ କ୍ୟାମେରା ଧରି ଶ୍ରୀମନ୍ଦିର ଭିତରେ ପଶିଛନ୍ତି। ଯାହାକି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ପୂର୍ବରୁ ଅନେକ ବ୍ୟକ୍ତି ପ୍ରଶାସନିକ ଏହି ବାରଣ ନିର୍ଦ୍ଦେଶ ନମାନି ଦଣ୍ଡ ପାଇଛନ୍ତି । ତେଣୁ ଏଏସ୍ଆଇ କ୍ଷେତ୍ରରେ କିପରି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।