ନୂଆଦିଲ୍ଲୀ: ଜାଆଁଳା ଭାଇ। ଅବିକଳ ଗୋଟିଏ ରୂପ। ଦେଖିଲେ ଜାଣି ହେବନି କିଏ ବଡ଼ କିଏ ସାନ। ଏହାର ଫାଇଦା ନେଇ ସେମାନେ ଚୋରି ଡକାୟତି କରୁଥିଲେ, ଆଉ ପୁଲିସକୁ ଭୁଆଁ ବୁଲାଉଥିଲେ। ଜଣେ ଭାଇ ଚୋରି କଲେ ଅନ୍ୟ ଜଣେ ଭାଇ ଠିକ୍ ସେହି ସମାନ ସମୟରେ ସିସିଟିଭି ଲାଗିଥିବା ଏକ ସ୍ଥାନରେ ଘୂରିବୁଲି ନିଜକୁ କଏଦ କରିନିଏ। ଆଉ ପୁଲିସ ପଚାରିଲେ ଭିଡିଓ ଦେଖାଇ କହେ, ଦେଖନ୍ତୁ ଚୋରି ସମୟରେ ମୁଁ ଏଇଠି ଥିଲି। ପୁଲିସ ବି କାବ୍ବା ହୋଇଯାଏ।

ଆପଣ ଭାବୁଥିବେ ଆମେ କେଉଁ ସିନେମାର କାହାଣୀ କହୁଛୁ? ଆଜ୍ଞା ନା.. ଏହା ନିଛକ ସତ ଘଟଣା। କ’ଣ ଚମକି ପଡ଼ିଲେ ନା? ଏଭଳି କାର୍‌ନାମା କରୁଥିବା ଦୁଇ ଜାଆଁଳା ଭାଇଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। 

ଜଣେ ଭାଇ ଚୋରି କରୁଥିବା ସମୟରେ ଅନ୍ୟ ଭାଇ ଜଣଙ୍କ ଅନ୍ୟ ଏକ ସ୍ଥାନରେ ନିଜକୁ ସିସିଟିଭି ଫୁଟେଜରେ କଏଦ କରିଥାଏ। ଘଟଣାରେ ଅଭିଯୁକ୍ତ ଭାଇକୁ ପୋଲିସ ଗିରଫ କରିବା ପରେ ମଧ୍ୟ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଜଣଙ୍କ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ଥ କରି ଖସିଯାଇଥାଏ। ଏଭଳି ସ୍ଥିତିରେ ପୋଲିସ ପାଇଁ ମୁଖ୍ୟ ଅଭିଯୁକ୍ତକୁ ଧରିବା ଏକ ଚ୍ୟାଲେଞ୍ଚ ସୃଷ୍ଟି ହୋଇଥିଲା।  ପରେ ଘଟଣାର ଅଧିକ ଛାନବିନ କରି ମଧ୍ୟପ୍ରଦେଶ ପୋଲିସ ଶନିବାର ସୈରଭ ବର୍ମା ଓ ସଞ୍ଜୀବ ବର୍ମା ନାମକ ଦୁଇଜଣ ଜାଆଁଳା ଭାଇଙ୍କୁ ଗିରଫ କରିଛି।

ଦୁଇ ଯାଆଁଳା ଭାଇ ଡିସେମ୍ବର ୨୩ ତାରିଖରେ ମାଉଗଞ୍ଜ ସହରରେ ଖାଲି ପଡ଼ିଥିବା ଏକ ଘରେ ଚୋରି କରିବାକୁ ଧସେଇ ପଶିଥିଲେ। ଦୁଇଭାଇ ଘରର କବାଟ ତାଡ଼ି ଘରେ ପଶି ଲାକ୍ଷାଧିକ ଟଙ୍କାର ମୁଲ୍ୟବାନ ଜିନିଷ, ଅଳଙ୍କାର ଓ ଟଙ୍କା ଚୋରି କରି ନେଇଥିଲେ। ଏହି ଘଟଣା ପରେ ପୁଲିସ ଆକ୍ସନ ମୋଡରେ ଖାନତଲାସି ଅଭିଯାନ ଆରମ୍ଭ କରିଦେଇଥିଲା। ପରେ ଏହି ଚୋରି ପାଇଁ ସୌରଭ ବର୍ମାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଥିଲା। ତେବେ ସଞ୍ଜିବ ନିଜଆଡୁ ଥାନାରେ ପହଞ୍ଚି ସେ ଚୋରି କରିଥିବା କଥା ଗ୍ରହଣ କରିବା ସହ ସୌରଭଙ୍କୁ ପୁଲିସ ଭୁଲରେ ଉଠେଇ ଆଣିଥିବା କଥା କହିଥିଲା। 

ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ଦ୍ୱନ୍ଦରେ ପଡ଼ିଯାଇଥିଲା। ତେବେ ପରେ ଏହାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ପୋଲିସ ସାମ୍ନାରେ ଦୁଇଭାଇ ନିଜ ଭୁଲ ମାନିଥିଲେ। ଦୁଇାଭାଇଙ୍କ କାହାଣୀ ପୁଲିସକୁ ମଧ୍ୟ ଚମକାଇ ଦେଇଥିଲା।

ଏକାଭଳି ଦିଶିବା ପାଇଁ ଦୁହେଁ ଏକାଭଳି ଚୁଟି କାଟିବା ସହ ଏକା ଭଳି ଡ୍ରେସ ପିନ୍ଧୁଥିଲେ। ମାତ୍ର ନିଜର ପରିଚୟ ଗୋପନ ରଖିବାକୁ ଦୁଇ ଭାଇ ଅଲଗା ଅଲଗା ରହୁଥିଲେ। ଏଣୁ ସେ ଦୁହିଁଙ୍କ ବିଷୟରେ କାହା ପାଖରେ ମଧ୍ୟ କିଛି ଖବର ନଥିଲା। ଦୁହେଁ ପରସ୍ପରଙ୍କ ଭାଇ ବୋଲି କେବଳ ସେମାନଙ୍କ ଗ୍ରାମବାସୀ ବ୍ୟତିତ ଆଉକାହା ପାଖରେ କିଛିବି ଖବର ନଥିଲା। 

ଏହାର ସୁଯୋଗ ନେଇ ସେମାନେ ସହରରେ ଚୋରି ଡକାୟତି କରୁଥିଲେ, ଆଉ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। ହେଲେ ଚୋରକୁ ସବୁବେଳେ ଅନ୍ଧାର ରାତି ହୁଏନି। ଶେଷରେ ଦୁଇ ଭାଇଙ୍କ କାରନାମା ଜଣାପଡ଼ିଲା। ଏବେ ଲକ୍‌ଅପ୍‌ରେ ଦୁଇ ଭାଇ। ପୋଲିସ ଦୁହିଁଙ୍କ ନିକଟରୁ ଲାକ୍ଷାଧିକ ଟଙ୍କାର ଅଳଙ୍କାର ଜବତ କରିବା ସହ ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି।