ବାରିପଦା,୨୪/୦୧: ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ୍ । ମାଷ୍ଟର ମାଇଣ୍ଡ ଡ୍ରାଇଭର ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଗିରଫ ଅଭିଯୁକ୍ତ ମାନେ ବାରିପଦା ସହରର ବଡ଼ବଜାର ଅଞ୍ଚଳ ବୋଲି ଜଣାପଡ଼ିଛି । ଏହି ଦୁର୍ବୃତ୍ତମାନେ ବାରିପଦା ଅଞ୍ଚଳରେ ଜାନୁଆରୀ ୨୧ ତାରିଖରେ ଜଳେ ସୁନା ବ୍ୟବସାୟୀଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜାନୁଆରୀ ୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଯାଉଥିଲେ । ଏକ ହ୍ୟୁଣ୍ଡାଇ କାର୍‌ରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିବା ବେଳେ ପାଲବଣି ନିକଟରେ ଏକ ବାଇକ୍‌ରେ ୩ ଜଣ ଲୁଟେରା ଆସି ସୁନା ଅଳଙ୍କାର ଲୁଟିନେଇଥିଲେ । ଏନେଇ ବ୍ୟକ୍ତି ଜଣକ ଥାନାରେ ଅବିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । କାର ଡ୍ରାଇଭର ମେସେଜ୍‌କୁ ଆଧାର କରି ଘଟଣାର ପର୍ଦ୍ଦାଫାସ କରିଛି ସଦର ଥାନା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ବାରିପଦା ସହରର ବଡ଼ବଜାର ଅଞ୍ଚଳ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଘରୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ।