ଭୁବନେଶ୍ୱର, ୨୪।୯: ୨୦ ଲକ୍ଷ ଟଙ୍କା ପାଇଁ ପୋଲିସ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା କରିଛି । ବିଧାନସଭାରେ ମୁଲତବୀ ଆଲୋଚନାରେ ଏଭଳି କହିଲେ ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା । ବୀମା ଅର୍ଥ ପାଇବାକୁ ଦୀପକ ତାଙ୍କୁ ହତ୍ୟା କରିଥିଲା ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ଇନସ୍ୟୁରାନ୍ସ ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ ରାଉତ । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ, ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡ଼ିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖ ଥାଉ କି ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍ ୨୫ ତାରିଖରେ ହୋଇଥିଲା। ମାଟ୍ରିମୋନିଆଲ୍ ସାଇଟ୍ରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ବିବାହ ହୋଇଥିଲା। ବିବାହର ଦୁଇରୁ ତିନିମାସ ପରଠୁ ବିବାଦ ଲାଗି ରହିଥିଲା। ଦୀପକଙ୍କ ସହିତ ତାଙ୍କ ମା’ ଓ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ତାଙ୍କର ଜଣେ ଧରମ ଭଉଣୀ ମିଳିତ ଭାବେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଅପର୍ଣ୍ଣା ନାମରେ ଋଣ କରି ସେହି ଟଙ୍କାକୁ ଦୁଇଟି ଭିନ୍ନଭିନ୍ନ ବ୍ୟବସାୟରେ ଲଗାଇଥିଲେ। ଏଭଳି ସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଥିଲା। ମୃତ୍ୟୁର ୬ମାସ ପୂର୍ବରୁ ସେ ପୁଣି ଥରେ ଗର୍ଭବତୀ ହୋଇଥିଲେ।
ଅନ୍ୟପଟେ ୨୦୨୫ ମସିହା ସେପ୍ଟେମ୍ବର ୬ ତାରିଖରେ ଶୁଭମିତ୍ରାଙ୍କୁ ଜଘନ୍ୟ ଭାବେ ହତ୍ୟା କରିଥିଲା ଦୀପକ ରାଉତ । ପୋଲିସ ମାତ୍ର ୧୦ ଦିନ ଭିତରେ ଗତ ୧୭ ତାରିଖରେ ଶୁଭମିତ୍ରା ସାହୁଙ୍କ ହତ୍ୟାକାରୀ ଦୀପକ ରାଉତକୁ ଧରିଥିଲା । ଦୀପକ ରାଉତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି । ଅଭିଯୁକ୍ତ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିବା ସହ ଶବ ମିଳିଥିଲା । ଶୁଭମିତ୍ରା ସାହୁଙ୍କ ହତ୍ୟାକାରୀ ଦୀପକ ରାଉତ ଜଣେ ପୋଲିସ କନେଷ୍ଟବଳ ଥିଲେ । ଦୀପକ ରାଉତ ମୁଖ୍ୟ ଆସାମୀ ।