ଅମରୋହା: ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ନରଙ୍ଗପୁର ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ୩୨ ବର୍ଷୀୟ ନର୍ସଙ୍କୁ ତାଙ୍କ ପୋଲିସ କନେଷ୍ଟବଳ ସ୍ଵାମୀ ଏବଂ ତାଙ୍କ ପରିବାର ସଦସ୍ୟମାନେ ଯୌତୁକ ଦାବି ନେଇ ଜୀଅନ୍ତା ଜଳାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେ ଜୀବନ ପାଇଁ ସଂଘର୍ଷ କରୁଥିବା ସୂଚନା ମିଳିଛି। 

ଖବର ମୁତାବକ, ପୀଡିତା ନର୍ସଙ୍କ ନାମ ପାରୁଲ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ନାମ ଦେବେନ୍ଦ୍ର ବୋଲି ଜଣାପଡିଛି। ପାରୁଲଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଦେବେନ୍ଦ୍ର, ତାଙ୍କ ମା’ ଏବଂ ଚାରି ଆତ୍ମୀୟ ସୋନୁ, ଗଜେଶ, ଜିତେନ୍ଦ୍ର ଏବଂ ସନ୍ତୋଷ ଯୌତୁକ ପାଇଁ ତାଙ୍କୁ ବହୁ ପୂର୍ବରୁ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ସକାଳେ ପାରୁଲଙ୍କ ମା’ ଅନୀତା ପଡ଼ୋଶୀଙ୍କଠୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେଉଁଠାରେ ପାରୁଲ ଗୁରୁତର ଅବସ୍ଥାରେ ମିଳିଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି, କିନ୍ତୁ ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି।

ପାରୁଲ ଇକାଉନା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଟ୍ରେନି ନର୍ସ ହୋଇଥିଲା ବେଳେ ଦେବେନ୍ଦ୍ର ୟୁପି ପୋଲିସ ଅଧିନରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି। ଦେବେନ୍ଦ୍ରଙ୍କ ନୂଆକରି ବରେଲିକୁ ଟ୍ରାନ୍ସଫର ହୋଇଥିଲା। ଏଣୁ ସେ ଗୋଟିଏ ସପ୍ତାହ ଛୁଟି ନେଇ ଘରକୁ ଆସିଥିଲେ। ଏହାରି ମଧ୍ୟରେ ଏହି ଘଟଣା ଘଟିଥିବା ଜଣାପଡିଛି। 

ପାରୁଲ ଓ ଦେବେନ୍ଦ୍ରଙ୍କ ବିବାହ ୧୩ ବର୍ଷ ପୂର୍ବେ ହୋଇଥିଲା ଏବଂ ସେମାନଙ୍କର ଦୁଇ ଯାଆଁଳା ପିଲା ରହିଛନ୍ତି। ଏହି ଘଟଣା ଗ୍ରେଟର ନୋଏଡାରେ ନିକ୍କୀ ଭାଟୀଙ୍କ ଯୌତୁକ ହତ୍ୟା ପରେ ସାମ୍ନାକୁ ଆସିଛି। ଯାହା ସମଗ୍ର ଉତ୍ତର ପ୍ରଦେଶରେ ଯୌତୁକ ହିଂସାର ଗମ୍ଭୀରତାକୁ ପ୍ରକାଶ କରିଛି। ୨୦୨୨ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ଭାରତରେ ୬,୪୫୦ ଯୌତୁକ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ କେବଳ ଉତ୍ତର ପ୍ରଦେଶରେ ୨,୧୩୮ ମାମଲା ରହିଥିଲା।

ଏହି ମାମଲା ସାମ୍ନାକୁ ଆସିବା ପରେ ମହିଳା ଅଧିକାର କର୍ମୀମାନେ ଯୌତୁକ ବିରୋଧୀ ଆଇନର କଠୋର କାର୍ଯ୍ୟକାରୀତା ଦାବି କରିଛନ୍ତି। ତେବେ ପୋଲିସ ଏହି ମାମଲାରେ ଛାନଭିନ୍ ଜାରି ରଖିଛି ଓ ମାମଲାରେ ସାମିଲ ଥିବା ଅଭିଯୁକ୍ତମାନେ ବହୁ ଜଲଦି ଧରାପଡିବେ ବୋଲି  ଆରକ୍ଷୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।