ଉମରକୋଟ/ରାଇଘର,୦୭/୦୩:  ଅଫିମ ଚାଷ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ସେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତାଳପଦରର ନନ୍ଦକିଶୋର ସାହୁ(୪୯) । ସେ ଚାଷ କରିଥିବା ଜମିର ୨୦୨୮୦ ଗଛ ନଷ୍ଟ କରାଯାଇଛି । ଏଥିସହ ୧୪ କେଜିରୁ ଅଧିକ ଅଫିମ ଫୁଲ ଜବତ କରାଯାଇଛି । ଏ ସବୁର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି ବିଭାଗ ଆକଳନ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇଦିଆଯାଇଥିବା ଅବକାରୀ ବିଭାଗ ଅଧିକାରୀ ବୃନ୍ଦାବନ ମଣ୍ଡଳ କହିଛନ୍ତି ।

ଚଢ଼ଉରେ ସାମିଲ ହୋଇଥିଲେ ଅବକାରୀ ଓ ବନ କର୍ମଚାରୀ । ଏସିଏଫ୍ ସୁଭାଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଟିମ୍ର ସଦସ୍ୟମାନେ ତାଳପଦର ଗାଁକୁ ଯାଇଥିଲେ । ନନ୍ଦକିଶୋର ଚାଷ କରିଥିବା ଅଧା ଏକର ଜମିରୁ ଅଫିମ ଗଛ କାଟିଥିଲେ । ୧୪ କେଜି ୩୦୦ ଗ୍ରାମ୍ ଅଫିମ ଫୁଲ ଜବତ କରିଥିଲେ । ଜବତ ଅଫିମ, ନଷ୍ଟ କରାଯାଇଥିବା ଗଛର ମୂଲ୍ୟ ପ୍ରାୟ ୧୦ କୋଟି ୧୪ ଲକ୍ଷ ୨୨ ହଜାର ୪୮୦ ଟଙ୍କା ହେବ ବୋଲି ଶ୍ରୀ ମଣ୍ଡଳ କହିଛନ୍ତି । ଏସିଏଫ୍ ଶ୍ରୀ ଖୁଣ୍ଟିଆ, ଅବକାରୀ ଅଧିକାରୀ ଶ୍ରୀ ମଣ୍ଡଳ, ଲିନା ବଡ଼ନାୟକ, ରଞ୍ଜିତା ସିଂ, ଦେବେନ୍ଦ୍ର ସମରଥ, ଅଲେଖ ଶବର, ସୁଭାଷ ଗୌଡ଼ ପ୍ରମୁଖଙ୍କ ସହ ଡାବୁଗାଁ ଓ ଉମରକାଟ ଅବକାରୀ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ ।

ଅଧିକ ପଢ଼ନ୍ତୁ :- ହାତୀ ଆକ୍ରମଣରେ ପୁଣି ଗଲା ଜୀବନ, ବନ୍ତଳା ରେଞ୍ଜରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ