କଟକ,୧୮/୧୨ : ଓଡ଼ିଶା ପୁଲିସ୍ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ପୁଲିସ୍ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ପଦ ଲାଗି ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ସର୍ବୋଚ୍ଚ ବୟସ ସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦ ଲାଗି ସର୍ବନିମ୍ନ ବୟସ ସୀମା ୧୮ ଓ ସର୍ବୋଚ୍ଚ ବୟସ ସୀମା ୨୩ବର୍ଷ ଧାର୍ଯ୍ୟ ହୋଇଥିଲା । କିନ୍ତୁ କୋଭିଡ୍ କାରଣରୁ ୪ ବର୍ଷ ପରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯାଉଥିବାରୁ ଅନେକ ପ୍ରାର୍ଥୀଙ୍କ ବୟସ ଇତିମଧ୍ୟରେ ଅତିକ୍ରାନ୍ତ ହୋଇସାରିଛି । ତେଣୁ ବୟସ ସୀମା କୋହଳ ପାଇଁ ପ୍ରାର୍ଥନା କରି ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ଆଶାୟୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଆଶାୟୀମାନେ ସାନି ଆବେଦନ କରିବେ ସେମାନଙ୍କ ଆବେଦନ କିପରି ଅନ୍ଲାଇନ୍ରେ ଗ୍ରହଣ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଫାଙ୍କା ପଡୁଥିବା ପଦ ପାଇଁ ପୁଲିସ୍ ସିଲେକ୍ସନ ବୋର୍ଡ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଚଲାଇ ରଖିବାକୁ ଅଦାଲତ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।
ଏହି ପଦକ୍ଷେପ ଦ୍ୱାରା ଭବିଷ୍ୟତରେ ନିଯୁକ୍ତିକୁ ନେଇ ସୃଷ୍ଟି ହେଉଥିବା ସମସ୍ୟାକୁ ଟାଳି ଦିଆଯାଇ ପାରିବ । ତେବେ ଏହି ରାୟ ଭବିଷ୍ୟତରେ ଅନ୍ୟ କୌଣସି ନିଯୁକ୍ତି କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆଦିତ୍ୟ ମିର୍ଦ୍ଧା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଗତ ଅକ୍ଟୋବର ୧୦ ତାରିଖରେ ପୁଲିସ୍ ସିଲେକ୍ସନ ବୋର୍ଡ ପକ୍ଷରୁ ପୁଲିସ୍ ମୋଟର ଟ୍ରାନ୍ସପୋର୍ଟରେ ୪୦୫ଟି ଡ୍ରାଇଭର ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସର୍ବୋଚ୍ଚ ବୟସ ସୀମାକୁ ନେଇ ବହୁ ଆଶାୟୀ ପ୍ରାର୍ଥୀ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ । ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କର ପ୍ରାର୍ଥନା ଥିଲା ଯେ, ଏହି ପଦ ଲାଗି ୨୦୨୦ରେ ଶେଷଥର ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କରୋନା କାରଣରୁ ଆଉ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏବେ ପ୍ରାୟ ଚାରିବର୍ଷ ପରେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୪ ବର୍ଷର ବ୍ୟବଧାନ କାରଣରୁ ଅନେକ ଆଶାୟୀଙ୍କ ବୟସ ସର୍ବୋଚ୍ଚ ସୀମା ଅତିକ୍ରମ କରିଯାଇଛି । ତେଣୁ ସର୍ବୋଚ୍ଚ ବୟସ ସୀମାରେ କୋହଳ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।
ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି କରୋନା ପାଇଁ କିପରି ପୂରା ବ୍ୟବସ୍ଥା ଅଚଳ ହୋଇଯାଇଥିଲା ସେ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ଅନେକ ଆଶାୟୀ ପ୍ରାର୍ଥୀ ନିଜକୁ ବିଭିନ୍ନ ପଦପଦବି ଲାଗି ପସ୍ତୁତ କରିଥିଲେ ମଧ୍ୟ ସେହି ସମୟରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯିବା କାରଣରୁ ନିରାଶ ହୋଇଥିଲେ । ଏବେ ଯେତେବେଳେ ପୁନର୍ବାର ନିଯୁକ୍ତିର ବାଟ ଫିଟୁଛି ସେତେବେଳେ ଏଭଳି ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଲାଗି ଏହା ଏକ ସାମୟିକ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି ।