ବଳଙ୍ଗା, ୨୫/୦୭ : ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ନୂଆ ମୋଡ଼। ୬ ଦିନ ପରେ ପୁଲିସ ହାତରେ ଲାଗିଲା ବଡ଼ ସୁରାକ। ଘଟଣା ଉପରୁ ହଟିବ ପରଦା। ସୁନା ଦୋକାନୀ ଏବଂ ନାବାଳିକାଙ୍କ ସାଙ୍ଗଙ୍କ ସହ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚର ଜେରା। ରୁପା ମୁଦି ଦେଇପାରେ ନୂଆ ମୋଡ଼।
ସୂଚନାନୁଯାୟୀ, ଗୁରୁବାର ଦିନତମାମ କ୍ରାଇମ୍ବ୍ରାଞ୍ଚ ଟିମ୍ ପୀଡ଼ିତା ନାବାଳିକାଙ୍କର ୩ ଜଣ ସାଙ୍ଗ ଓ ଅନ୍ୟ ୨ଜଣ ମହିଳାଙ୍କୁ ମାରାଥନ ଜେରା କରିଛି । ସନ୍ଧ୍ୟାରେ ବଳଙ୍ଗା ବଜାରର ଜଣେ ସୁନା ଦୋକାନୀକୁ ଉଠାଇ ନେଇ କ୍ରାଇମ୍ ସ୍ପଟ୍ରୁ ମିଳିଥିବା ରୁପା ମୁଦି ସମ୍ପର୍କରେ ପଚରାଉଚରା କରିଛି । ରୁପା ମୁଦିଟି ଉକ୍ତ ସୁନା ଦୋକାନରୁ ବିକ୍ରି ହୋଇଥିବା ବେଳେ ୨ ମାସ ତଳେ ଜଣେ ଯୁବତୀ ମୁଦିଟିକୁ କିଣିଥିବା ସେ କ୍ରାଇମ୍ବ୍ରାଞ୍ଚ ଟିମ୍କୁ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଦୀର୍ଘ ଦିନ ହୋଇଥିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ତଥ୍ୟ ମିଳିନାହିଁ। ଏହି ମୁଦି ଘଟଣାକୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି।
ସେପଟେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଳାଣ୍ଟ କରି ସ୍କିନ୍ ଗ୍ରାଫଟିଙ୍ଗ୍ କରାଯାଇଛି। ୭ ଜଣିଆ ଡାକ୍ତରୀ ଟିମ୍ ସର୍ଜରୀ କରିଛନ୍ତି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀ ଏମ୍ସରେ ପହଞ୍ଚି ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ପଚରାଉଚରା କରିଛି। ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। କିଏ ଓ କେଉଁ ପରିସ୍ଥିତିରେ ନିଆଁ ଲଗାଇଲା ତାହାକୁ ନେଇ ତଦନ୍ତ ଚାଲିଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।