ପୁରୀ,୨୯/୧୦: ମଦ ପିଇ ଭୁଲିଗଲେ ମାନବିକତା । ହରାଇଲେ ମଣିଷ ପଣିଆ । ଜଣେ ଗ୍ୟାରେଜ୍‌ ମେକାନିକ୍‌ ସହ ମିଶି ଆତଙ୍କ ରଚିଲେ ଜଣେ ପୁଲିସ ବାବୁ । ଘରେ ପଶି ଜଣଙ୍କୁ ପିଟିଲେ । ତାଙ୍କ ଉପରେ ଗରମ ତେଲ ଢାଳିଲେ । ବ୍ୟକ୍ତିଙ୍କ ବୃଦ୍ଧା ମା’ ଜଣକ  ସୁରକ୍ଷା ଦେବାକୁ ଉଦ୍ୟମ କରିବା ବେଳେ ଖଟ ଉପରୁ ଖସି ଗୁରୁତର ଆହତ ହେଲେ । ତାଙ୍କ ଦେହରେ  ଲାଗିଥିବା ପରିସ୍ରା ନଳି ବାହାରିଯାଇ  ଥିବାବେଳେ ପୁଲିସ ବାବୁ ଜଣକ ବାହାର ପଟୁ କବାଟ କିଳି ଚମ୍ପଟ ମାରିଲେ । ଏଭଳି ସ୍ଥିତିରେ ଉଦ୍ଧାର କଲେ ସାହି  ଲୋକେ । କୁମ୍ଭାରପଡ଼ା ଥାନା ଅଧୀନ ତଳମାଳିସାହିରେ ଘଟିଛି ଏମିତି ଏକ  ଅଭାବନୀୟ ଘଟଣା । ଏନେଇ ଏତଲା  ହୋଇଛି । କୁମ୍ଭାରପଡ଼ା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏତଲାକାରୀ ହେଲେ ସେହି ସାହିର ବିଜୟ ଚନ୍ଦ୍ର ମହାରଣା । ଆତଙ୍କ ରଚିଥିବା ପୁଲିସ ବାବୁଙ୍କ ନାମ ଜଳେଶ୍ୱର  ଓ ସେ ବାଟାଲିୟନ୍‌ରେ କାର୍ଯ୍ୟରତ ଏବଂ ତାଙ୍କ ସହଯୋଗୀ ଗ୍ୟାରେଜ୍‌ ମେକାନିକ୍‌ ପପୁ ଦାସ ବୋଲି ଏତଲାରେ ଉଲ୍ଲେଖ  ରହିଛି । 

ଅଭିଯୋଗ ଅନୁସାରେ, ପୁଲିସ ବାରାକ୍‌ ସମ୍ନାରେ ପପୁ ଗ୍ୟାରେଜ୍‌ କରିଛି । ବିଜୟଙ୍କ ଘର ପାଖରେ ଭଡ଼ାଘରେ ରହୁଛନ୍ତି ଜଳେଶ୍ୱର । ପପୁ ଓ ଜଳେଶ୍ୱର ଗତ ୨୬ ତାରିଖ ବିଳମ୍ବିତ ରାତିରେ ରୋଷେଇ କରିଥିଲେ । ନିଶାସକ୍ତ ଅବସ୍ଥାରେ ବିଜୟଙ୍କ ଘର ବାରଣ୍ଡାରେ  ବସି ଉଭୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ବିଜୟଙ୍କ ମା’ ବ୍ରେନ୍‌ ଷ୍ଟୋକ୍‌ କାରଣରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ  ଥିବାରୁ ଏଭଳି ପାଟିତୁଣ୍ଡ କରନାହିଁ  ବୋଲି ନିବେଦନ କରିଥିଲେ । ଉଭୟ  ସେଠାରୁ ପଳାଇଥିଲେ । ରାତି ପ୍ରାୟ  ସାଢ଼େ ୨ଟାରୁ ୩ଟା ମଧ୍ୟରେ ଏକ  ହାତୁଡ଼ି ଆଣି ଉଭୟ ବିଜୟଙ୍କ କବାଟ  ବାଡ଼େଇଥିଲେ । କବାଟ ଖୋଲିବା ମାତ୍ରେ  ହାତୁଡ଼ିରେ ବିଜୟଙ୍କୁ ସେମାନେ ଅତର୍କିତ  ଆକ୍ରମଣ କରିଥିଲେ । ବିଜୟଙ୍କ ମା’  ଖଟରୁ ଖସିପଡ଼ିଥିଲେ । ତାଙ୍କର ପରିସ୍ରା  ନଳୀ ବାହାରି ଯାଇଥିବା ବେଳେ ସେ  ଗୁରୁତର ଭାବେ ଆହତ ହୋଇଥିଲେ । ଏତିକିରେ ଜଳେଶ୍ୱରଙ୍କ ମନ ଶାନ୍ତି  ହୋଇନଥିଲା । ନିଜଘରୁ ଗରମ ତେଲ  କଡ଼େଇ ଆଣି ବିଜୟଙ୍କ ଉପରେ ଢାଳି  ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ।  ଗରମ ତେଲ ଓ ହାତୁଡ଼ି ମାଡ଼ରେ  ବିଜୟଙ୍କ ଅବସ୍ଥା ସଙ୍ଗିନ ହୋଇଥିଲା ।  ମା’ ଓ ପୁଅ ଘରେ ପଡ଼ିଥିବା ବେଳେ  ବାହାର ପଟୁ ସେମାନଙ୍କୁ କବାଟ କିଳି  ଉଭୟ ପଳାଇଥିଲେ ।

 ମୁଁ ପୁଲିସ... ।  ଯା, ମୋର୍‌ କ’ଣ କରିବୁ କର୍‌ ବୋଲି ଧମକ ଦେଇଥିଲେ ଜଳେଶ୍ୱର ଓ ପପୁ ।  ଚିତ୍କାର ଶୁଣି ସାହି ଲୋକେ ଆସି କବାଟ  ଖୋଲି ଉଭୟଙ୍କୁ ଉଦ୍ଧାର କରିଥିଲେ ।  ମା’ଙ୍କ ଚିକିତ୍ସା କରାଇ ବିଜୟ ନିଜେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଥିଲେ । ଏହାପରେ ଥାନାକୁ  ଆସି ଏତଲା ଦେଇଥିଲେ । ଏନେଇ  ମାମଲା ରୁଜୁ କରାଯାଇଥିବା କହିଛନ୍ତି ଆଇଆଇସି ସୁଶାନ୍ତ କୁମାର ସାହୁ ।

ଝୁଲୁଛି ଶୂନ୍ୟ ଫଳକ: ଲେଖା ହେଉନାହିଁ ଡାକ୍ତରଙ୍କ ନାମ, ରୋଗୀ ହଟହଟା