ବୌଦ୍ଧ,୨୦/୧୨ ; ମାଓ ପ୍ରବଣ ବୌଦ୍ଧ ଜିଲ୍ଲାରେ ମାଓ ଦମନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଜିଲ୍ଲାରେ ବିଭିନ୍ନ ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ପୁଲିସ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ଅନେକ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରାଇବାରେ ସଫଳ ହୋଇଛି । ଆଉ କେତେବେଳେ ପୁଲିସ ଗୁଳିରେ ମାଓବାଦୀଙ୍କୁ ମୃତ୍ୟୁ ଘଟିଛି । ଜିଲ୍ଲାରେ ମାଓ ଦମନ କାର୍ଯ୍ୟକଳାପ ଜାରି ରହିଥିବାବେଳେ ଆଜି ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ଦିଆଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାଧ୍ୟମରେ ସୂଚିତ କରାଯାଇଛି ।

ଜିଲ୍ଲାର କାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମାନ ଲଗାଯାଇଛି । ବୌଦ୍ଧ ଜିଲ୍ଲାରେ କେକେ ବିଏନ ମାଓବାଦୀ ସଂଗଠନ ପକ୍ଷରୁ ନିଜର ସ୍ଥିତି ଜାହିର କରି ଆସୁଛି । ମାଓବାଦୀ  ସଂଗଠନର ଟପ ନେତା ତଥା ବିଭିନ୍ନ କମିଟିର ସଦସ୍ୟ ଥିବା ୧୮ଜଣ ମାଓବାଦୀଙ୍କୁ ଧରାଇଦେଲେ ଲକ୍ଷଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟ ମାଧ୍ୟମରେ ସୁଚନା ଦିଆଯାଇଛି ।

ଜିଲ୍ଲା ପୁଲିସ ପକ୍ଷରୁ ଘାପଡ଼ା ଓ କାମାଳ ଥାନା ଅଂଚଳର ଉମା, ସମାଡାଙ୍କି ଲଣ୍ଡନପଡ଼ା, ମାତାକୁପା, ଲମ୍ବସରୀ ଓ ନାରାୟଣପ୍ରସାଦ ଆଦି ଗ୍ରାମ ଗୁଡ଼ିକର ବିଭିନ୍ନସ୍ଥାନରେ ପୁଲିସ ପକ୍ଷରୁ ପୋଷ୍ଟର ମାନ ଲଗାଯାଇଛି । ପୋଷ୍ଟରରେ ଉଲ୍ଲେଖ ରହିଛି ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ । ଯେଉଁ ବ୍ୟକ୍ତି ମାଓବାଦୀଙ୍କୁ ଧରାଇବେ ସେହି ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମାଓବାଦୀଙ୍କ ପାଇଁ ମଧ୍ୟ ଆହ୍ୱାନ ରହିଛି ସେମାନେ ଯଦି ଆତ୍ମସର୍ମପଣ କରନ୍ତି ସେମାନଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରକାଶ ଯେ, ଗତ ୧୭ତାରିଖରେ ମଧ୍ୟ ଜିଲ୍ଲା ପୁଲିସ ପକ୍ଷରୁ  କେକେବିଏନ ସଂଗଠନର ୧୦ଜଣ ମାଓବାଦୀଙ୍କୁ ଧରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ବୌଦ୍ଧ, କାମାଳ, ମନମୁଣ୍ଡା ଥାନା ଅର ସିଗାଡି, ଶଗଡା, ତିଲପଙ୍ଗା, ଭଡାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ନାରାୟଣ ପ୍ରସାଦ, ନୁରୁ, ଲାଦେନ  ଆଦି ଗ୍ରାମ ଗୁଡ଼ିକର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା ।